STORYMIRROR

Prashantam Bapu

Tragedy

3  

Prashantam Bapu

Tragedy

ତୁ ଅମର ହେ

ତୁ ଅମର ହେ

1 min
329

ଏକୋଇଶି ତାରିଖ ସନ୍ଧ୍ୟାରେ 

ନାସିମ୍ ସାରଙ୍କ ଫୋନ୍ ଆସିଲା

ସାର୍ ଜାଣିଛନ୍ତି କି ? 

କାମଦେବ ଆଉ ନାହିଁ .....!


ନିଃଶ୍ୱାସ ଅଟକି ଗଲା କିଛି କ୍ଷଣ 

ଦୀର୍ଘନିଃଶ୍ଵାସଟିଏ ନେଇ ପଚାରିଲି

କ'ଣ ହେଲା.... ! 

କାମଦେବ୍.... ! 

କ'ଣ ହେଇଥିଲା ତା'ର ?


ଜଣା ନାହିଁ !

ଶୁଣିଲି ଜ୍ୱର ହେଇଥିଲା 

ତା'ର ସିକଲିନ୍ ବି ଥିଲା

ହଁ ଶୁଣିଥିଲି..... !


କାମଦେବ ମୁହଁରେ 

ତା'ର ହାବଭାବରେ 

କେବେ ବି କେହି

ସାମାନ୍ୟ ଦରଦ କି ଦୁର୍ବଳତାର 

ଛାଇ ଟିକିଏ ପଡ଼ିବାର ଦେଖିନଥିବେ

ସଦା ଚଳଚଞ୍ଚଳ ଆଉ ହସହସ ମୁହଁ ।


ହତଭାଗ୍ୟ ଓ.ଏ.ଭି ନେଗିପାଲିର 

ଦଶମ ଶ୍ରେଣୀର ଛାତ୍ରଟିଏ ଥିଲା ସେ

ଏବେ ବି ଆଖି ଆଗରେ ନାଚିଯାଉଛି 

ସେ ମୁହଁଟି ଜଳ ଜଳ କରି

ସଜ ଫୁଟା କାକର ଭିଜା 

ମହୁଆ ଭଳି ଥିଲା ସେ ମୁହଁ 

କାହା ଓଠରେ ସେ ହସ ନ ଫୁଟାଇଛି ?

କିଏ ବା ଥିବେ ଯାହା ହୃଦୟକୁ 

ସେ ନଛୁଇଁଛି ନଜିତିଛି ?


କଥା କଥାରେ ଜୋକ୍, 

ବିଷୟର ଗମ୍ଭୀରତା ମଉଳି ଯାଏ ବୋଲି 

ବହୁବାର କୃତ୍ରିମ ରାଗ ଦେଖାଇଛି 

ନକାଟିଲା ଭଳି ତୋ ପିଠିରେ 

ବିଧାଟିଏ କଷି ଦେଇଛି 

ହେଲେ ତୋର ନାଟକୀୟ ପ୍ରତିକ୍ରିୟା

ତୋ ଶୁଦ୍ଧ ଚଗଲାମୀ ,

ସଂକ୍ରାମକ ସ୍ମିତହାସ୍ୟକୁ ଚାହିଁଦେଲା କ୍ଷଣି ...

ହସକୁ କେବେ ଚାପି ପାରେନି 

ପୁରା କ୍ଲାସ୍ ହସରେ ଫାଟି ପଡ଼େ ।


ଉଜ୍ଜ୍ୱଳ ଦିଶୁଥିବା ଭବିଷ୍ୟତଟିଏ 

ଯେ ଏମିତି ଅଚାନକ ଅତୀତ ହୋଇପାରେ

ସମୟ ଏମିତି କ୍ରୁର ନୃଶଂସ ହେଇପାରେ 

କେହି କେବେ କଳ୍ପନା କରିନଥିବେ ।


ଆସିଲା ବେଳେ କହିଥିଲି ପୁଣି ଦେଖାହେବ ....

କିଏ ବା ଜାଣିଥିଲା ସେଇଟା ଶେଷ ଦେଖା 

ଆଉ ତୁ ବାସ୍ କିଛି ଦିନର ଅତିଥି ବୋଲି

ଆମେ ତ ଧରି ନେଇଥିଲୁ 

କି ତୁ ଅଛୁ ଆଉ ରହିବୁ ଚିରଦିନ ପାଇଁ ।


ହଁ , ତୁ ଅଛୁ ଆଉ ରହିବୁ ଚିରଦିନ ପାଇଁ 

ଏ ଶୁଷ୍କ ହୃଦୟରେ ସ୍ମୃତିର ନିର୍ମଳ ଧାରାଟିଏ ହୋଇ

ତୋତେ ମହାକାଳ ର ତ୍ରିନେତ୍ର ବି ଭସ୍ମ କରିପାରିବନି 

ବେଟା କାମଦେବ ତୁ ଅମର ହେ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy