ପୁନଃ କଁଅଳିବାକୁ ହେଲେ....
ପୁନଃ କଁଅଳିବାକୁ ହେଲେ....
ପାଞ୍ଚ ଉପାଦାନରେ ଗଢ଼ା ତା ଦେହ ମନର
ପାଞ୍ଚଟି ଯାକ ଆପଣା ଲୋକକୁ ନଫେରିବା ଯାଏଁ
ପାଞ୍ଚ କଥାରେ ଟଣାଓଟରା ହୋଇ
ପ୍ରତି ପ୍ରଳ ସେ କ'ଣ ଏଇମିତି ଦହଗଞ୍ଜ ହେଉଥିବ ?
ପଞ୍ଚୁପାଣ୍ଡବଙ୍କୁ ଏକ ଅସ୍ତ୍ର କରିବାର କଳା ପାଞ୍ଚାଳୀ ଜାଣିଥିଲେ
ପାର୍ଥସାରଥୀ ପୁଣି ଛାଇ ଭଳି ରହିଥିଲେ ସବୁବେଳେ
ପାଞ୍ଚ ମନକୁ ଏକ କରି ଏକ ଦିଶାରେ ଅଢେଇ ନେବାକୁ
ପାଞ୍ଚାଳୀକୁ ବି ସେ ବାହାରେ ବହୁତ ଖୋଜିଛି
ପଦ୍ମନାଭଙ୍କ ପ୍ରତି ବିଶ୍ୱାସ ତ ତା'ର ସବୁବେଳେ ଟଳମଳ
ପଥକ୍ରାନ୍ତ ଏବେ ସେ ଆଗରେ ପୁଣି ପାଞ୍ଚ ପ୍ରକାରେ ରାସ୍ତା
ପରିଶ୍ରମ ସବୁ ବୃଥା ଗନ୍ତବ୍ୟ ମିଳିବନି ବୋଲି ଧରିନେଇ
ପଥର ପରି ପଡ଼ିରହିଛି ଆଳସ୍ୟକୁ ଆଶ୍ରୟ କରିନେଇ
ପୁରୁଷାର୍ଥ ବିନା ପ୍ରକୃତି ପରମାତ୍ମା କେହି ସହାୟ ହୁଅନ୍ତିନି
ପ୍ରଥମରୁ ଏତ
ିକି ବୁଝି ଯାଇଥିବା ମଣିଷ ହିଁ ମଣିଷ ହୁଏ
ପ୍ରୟାସ ତାକୁ ଜାରି ରଖିବାକୁ ହେବ ହିସାବ ରଖିବା ଭୁଲି
ପାଷଣ ପରି ନିଜକୁ ଭିତରୁ ସ୍ଥିର ଅଚଳ କରିପାରିଲେ
ପ୍ରକୃତିର ରହସ୍ୟ କାଳେ ଆପେଆପେ ଫୁଟିବାକୁ ଲାଗେ
ପ୍ରତି କ୍ଷଣ ପ୍ରତି ମୁହୁର୍ତ୍ତରେ ସଜାଗ ରହିବାକୁ ହେବ
ପ୍ରତ୍ୟେକ ଛୋଟ ଛୋଟ କଥାରେ ସୁତ୍ର ସବୁ ଲୁକ୍କାୟିତ ଥାଏ
ପ୍ରଶ୍ୱାସ ନିଃଶ୍ୱାସ ଦୁଆରେ ଦୁହିଁଙ୍କୁ ଅହରହ ଜଗିବାକୁ ହେବ
ପରମକୁ ଜାଣିବାର କାଳେ ଏହି ଦୁଇଟି ହିଁ ସରୁ ସିଧା ବାଟ
ପରମ ସତ୍ୟ ପରମାତ୍ମା ପରଂବ୍ରହ୍ମ ପରମାନନ୍ଦ ଭଳି ଶବ୍ଦ ସବୁ
ପୋଥି ବାଇଗଣ ହୋଇଗଲେଣି ଧର୍ମର ବଜାରରେ କେବେ ଠୁଁ
"ପରମ" ଶବ୍ଦ ସବୁକୁ ଭୁଲିଯାଇ ତା'ର କଳ୍ପନା ଜଳ୍ପନା ଛାଡ଼ି
ପୁରୁଣା ପତ୍ର ସବୁକୁ ଝାଡ଼ିଦେଇ ସମ୍ପୂର୍ଣ୍ଣ ଥୁଣ୍ଟା ହେଇ ଯା
ପୁନଃ ଯେବେ ନୂଆ ପତ୍ର କଁଅଳିବ ତୁ ବି କଁଅଳ ତା ସହ ।