STORYMIRROR

Prashantam Bapu

Inspirational Others

4  

Prashantam Bapu

Inspirational Others

ଅଛି ସମ୍ଭାବନା...

ଅଛି ସମ୍ଭାବନା...

1 min
299


ଅପେକ୍ଷା କରିଛି ସେ ସମୁଦ୍ର ପରି

ଅଶାନ୍ତ ମନଟି ତା'ର ଶାନ୍ତ ହେଲେ 

ଅନ୍ତରଙ୍ଗ ଲମ୍ବା ଆଳାପ କରନ୍ତା ତୁମ ସହ 

ଅବ୍ୟକ୍ତ ଅକୁହା ଅନ୍ତରରେ ଯେତେ ସାଇତିଛି

ଅତର ପରି ନିରବରେ ଚହଟି ଯାଆନ୍ତା 


ଅହରହ ଚିନ୍ତାର ଲହଡ଼ି ଆସି ତାକୁ ଅଥୟ କରେ 

ଅଜ୍ଞାନ ଅହଂକାରରେ ଗଢ଼ା ଦ୍ୱୀପ ମାନଙ୍କୁ ଭସାଇ ନିଏ 

ଅଜଣା ଅନିଶ୍ଚିତତାର ଭୟରେ ଆତଙ୍କିତ ତା ମନ 

ଅପରିବର୍ତ୍ତିତ ଅଜୟ ଅମର ହୋଇ ରହିବାକୁ  

ଅଯଥା ଅସାର ଚିନ୍ତାରେ ଜଞ୍ଜାଳରେ ତାକୁ ଛନ୍ଦେ 

ଅପେକ୍ଷାର ଜୀବନର ଉଦ୍ଦେଶ୍ୟକୁ ଭୁଲାଇ ଦିଏ


ଅପେକ୍ଷା କରିଛି ସେ ଅଭିହତ ଶାଳବଣ ପରି

ଅଜରା ଅପୁଛ ପଶୁଗୁଡ଼ାଙ୍କ ନିର୍ଯ୍ୟାତନାରୁ ମୁକିଳି ପାରିଲେ

ଅସୀମ ଆକାଶ ମୁହାଁ ହୋଇ ସେ ନିବିଘ୍ନରେ ବଢ଼ିପାରନ୍ତା

ଅବିଘ୍ନରେ ଅବନୀରେ ବ୍ୟାପି ଯାଅନ୍ତା ଯେତେ ଇଛା ସେତେ

ଅଶୋଷ୍ଯ ଅଦମ ହୋଇ ଏଠି କିଏ ବା ତିଷ୍ଠି ପାରିବ ?

ଅଦରକାରୀ ଅଲୋଡ଼ାଙ୍କ ବି ଥାନ ନାହିଁ ତା' ପରିଧିରେ

ଅଗ୍ରାହ୍ଯ ବୋଲି ସୀମିତତା ମଧ୍ୟେ କେବଳ ଯା ତିଷ୍ଠି ରହିଛି


ଅପେକ୍ଷା କରିଛି ସେ ଅଧା ଲେଖା କବିତାଟିଏ ପରି

ଅକଥନ ଅକଥ୍ଯ ପାଇଁ କେଉଁଠୁ ବା ସେ ଶବ୍ଦ ଗୋଟାଇବ 

ଅଭିଧାନରେ ସଞ୍ଚିତ ଶବ୍ଦ ସବୁ ବଜାରର ପ୍ଲାଷ୍ଟିକ ଫୁଲ ପରି 

ଅବାସ ଅପ୍ରକୃତ ଅବୈଧ ଅଯୋଗ୍ୟ ଅପାକିଆ ଲାଗନ୍ତି ତାକୁ

ଅଧାଲେଖା କବିତା ଅଧାଗଢ଼ା ମୁର୍ତ୍ତି ଚିତ୍ରକୁ ଭୋଗିବାକୁ ହୁଏ 

ଅହେତୁରେ ଭୋଗନ୍ତି ସେମାନେ ଅସାରଥ ହେବାର ଅଭିଶାପ


ଅପେକ୍ଷା କରିଛି ସେ ର୍ନିଜନ ରାସ୍ତାରେ ଏକୁଟିଆ 

ଅଲୋଡ଼ା ଦରଗଢ଼ା ଦିଅଁହୀନ ଦେଉଳଟିଏ ପରି

ଅଯୋଗ୍ଯର ଭାଗ୍ଯରେ ସିନା ନାହିଁ ବଡ଼ବଡ଼ିଆଙ୍କ କଳାଧନ

ଅନ୍ଯାୟ ଅନୀତି ରଙ୍ଗରେ ରଞ୍ଜିତ ଇଟା ବାଲି ସିମେଣ୍ଟ୍

ଅଛନ୍ତି ତାକୁ ଦେବାକୁ ରକ୍ତଝାଳ ଆସ୍ଥାବାନ ସୁଚିବନ୍ତ 

ଅଛି ଶକ୍ତି ସମୟ ସାମର୍ଥ୍ୟ ମୁଣ୍ଡି ମାରିବାକୁ ଧର୍ମ ଦେଉଳର

ଅଛି ସମ୍ଭାବନା ଅଧାଲେଖା କବିତାର ପୂର୍ଣ୍ଣତା ଲଭିବାକୁ

ଅଧାଗଢ଼ା ମୂର୍ତ୍ତି ଚିତ୍ର ହୋଇପାରେ ସେତିକିରେ ଶ୍ରେଷ୍ଠ କୃତି 

ଅଭିହତ ଶାଳବଣର ଅଧୁରା ସ୍ୱପ୍ନ ବି ସାକାର ହୋଇପାରେ 

ଅହରହ ଚିନ୍ତାର ଲହଡ଼ି ମନ ସମୁଦ୍ରରେ ଥମିବ ନିଶ୍ଚୟ  

ଅନ୍ତରର ଅବ୍ୟକ୍ତ ଅକୁହା ଅତର ପରି ଚହଟିଯିବ ଆପେ 

ଅଛି ସମ୍ଭାବନା ପ୍ରତି ସାଁବାଳୁଆ ମଧ୍ଯେ ପ୍ରଜାପତି ହେବାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational