ଭୀରୁତା ନାଁ ବିଦ୍ରୋହ
ଭୀରୁତା ନାଁ ବିଦ୍ରୋହ
ଯାହାକୁ ତୁ ଆଦର୍ଶ ବୋଲି ଧରି ନେଇଥିଲୁ
ଆଶା ବାନ୍ଧିଥିଲୁ କି ସେ ଯାଉଥିବା ରାସ୍ତାରେ
ଭରସାର ଅନ୍ଧପୁଟୁଳି ବାନ୍ଧି ଆଗେଇ ଯିବୁ..
ସେ ତ ସେବେ ନିଜେ ଧନ୍ଦି ହେଉଥିଲା
ନିଜ କଳ୍ପିତ କେଉଁ ଅନ୍ଧ ଗଳିରେ
ନିଜ ଉପରେ ତା'ର ଟିକିଏ ବି ଭରସା ନଥିଲା
ତ କେମିତି ସେ ତୋତେ ଟାଣି ନେଇଥାନ୍ତା
ସେ ଅଜଣା ଅନିଶ୍ଚିତ ଅନ୍ଧାର ଆଡ଼କୁ କହ ?
କାହା ସଫଳତାର ଶ୍ରେୟ ନେବା ସିନା ସହଜ
କିନ୍ତୁ କାହା ବିଫଳତାର ବୋଝ
ନିଜ ମୁଣ୍ଡରେ ଲଦିବାର ସତ୍ ସାହସ
କେତେ ଜଣଙ୍କର ଥାଏ ?
ତା'ର ତ ସେ ସାହସ ଜମାରୁ ବି ନଥିଲା
ଏବେ ପଛକୁ ଫେରି ଚାହିଁଲେ ତାକୁ ଦିଶୁଛି
ବହୁତ ବଡ଼ ଅପରାଧ ହେଇଗଲା ତା ଦେଇ
ଏ ଭୁଲ୍ କୁ ସୁଧାରିବାର ସମ୍ଭାବନା ନାହିଁ
କି କାହା ପାଦ ତଳେ ପଡ଼ି ସେ
ନିଜ ଭୀରୁତା ପାଇଁ କ୍ଷମା ବି ମାଗି ପାରିବନି
ଯେଉଁ ଅଫେରନ୍ତା ରାସ୍ତାରେ ସେ
ଆଗକୁ ଯିବାକୁ ବାଟ ଅଣ୍ଡାଳି ପାଉନଥିଲା
ତୁ ହୁଏତ ସେହି ବାଟେ ଅତି ସହଜରେ
ତାକୁ ବାଟ କଢ଼େଇ ନେଇ ପାରିଥାଆନ୍ତୁ
ପୁଣି ତା'ର ମନଗଢ଼ା ସଙ୍କିର୍ଣ୍ଣ ବନ୍ଦୀଶାଳାକୁ ଭାଙ୍ଗି
ମୁକ୍ତିର ଖୋଲାମେଲା ଫର୍ଚା ଦାଣ୍ଡରେ
ଶିଶୁଟିଏ କରି ଠିଆ କରେଇ ପାରିଥାଆନ୍ତୁ
ସାମାନ୍ୟ ତ୍ରୁଟିଟିଏ ପ୍ରତି ଜୀବନ ଏତେ କ୍ରୃର କାହିଁକି ?
ବାଲି ରଗଡ଼ା ପରି ଦିଶୁଥିବା ଏଇ ସାମାନ୍ୟ ତ୍ରୁଟିଟିଏ ପାଇଁ
ଜୀବନ ତମାମ ସଞ୍ଚିତ ଜ୍ଞାନ କୌଶଳ କାରିଗରୀ ଖର୍ଚ୍ଚରେ
ତୋଳିଥିବା ଏକମାତ୍ର ସମ୍ଭବ ସ୍ୱପ୍ନର କୋଣାର୍କଟି
ଆଖି ସାମ୍ନାରେ ଆଖି ପିଛୁଳାକେ ଭୁଶୁଡ଼ି ପଡ଼େ !
ଏହି ଡର ତ ତାକୁ ଅନ୍ଧାରକୁ ଠେଲି ଦେଇଥିଲା
ଉଷୁମ ଲୁହ ଭିଜା ମୁଣ୍ଡ ତଳର ସରୁ ତକିଆ ଭିତରେ
ନିଜକୁ ଯେମିତି ସେ ଜାକିଜୁକି କରି ଖୁନ୍ଦି ଦେଇଥିଲା
ଆଉ ତୋତେ ଅନ
ାଥ ପରି ଛାଡ଼ିଦେଇଥିଲା
ତୋ ନିଜ ହାତେ ନିଜର ବିନାଶ ସାଧିବାକୁ
ସେ ହିଁ ଅଫୁଟା କଢ଼ଟି ଫୁଟିବା ପୂର୍ବରୁ ଛିଡ଼େଇ ନେଇ
ସମାଜ ଚାହିଦାର ସେରାମିକ୍ ଫୁଲଦାନିରେ
ପ୍ଲାଷ୍ଟିକ ଫୁଲ ସହ ପ୍ଲାଷ୍ଟିକ ହୋଇ ବଞ୍ଚିବାକୁ
ଫମ୍ପା ଉପଦେଶ ଦେଇ ତୋତେ ସଜାଇ ଦେଇଥିଲା
ତା'ର ବଡ଼ପଣିଆର ମୁଖା ତଳେ ଫମ୍ପା ଉପଦେଶ ପଛେ
ଗୋଟାଏ ଅସହାୟ ସ୍ୱାର୍ଥୀ ସଙ୍କୁଚିତ ମଣିଷକୁ
ତୁ ବରାବର ଠଅରେଇ ନେବା ପରେ ବି ନୀରବ ରହିଲୁ
ନିଜକୁ ଶୁଖେଇ ଶୁଖେଇ ଜାଳି ଦେଲୁ ପଛେ
ତା ବିରୁଦ୍ଧରେ ଥରୁଟିଏ ବି ବିଦ୍ରୋହ କଲୁନାହିଁ
ଏଇଥି ପାଇଁ ତ ମରି ମରି ବଞ୍ଚିଥିବା ଯାଏଁ
ଏ ଅପରାଧବୋଧକୁ ସେ ମୁଣ୍ଡେଇ ମୁଣ୍ଡେଇ ଚାଲିଥିବ
ଯେଉଁ କଅଁଳ ସ୍ୱପ୍ନ ସବୁ ତୁ ପାଳିଥିଲୁ ଭବିଷ୍ୟତ ପାଇଁ
ସେସବୁକୁ ଯୋଜନାବଦ୍ଧ କୁତ୍ରିମ ଅନାହାରରେ ମାରି ଦିଆଗଲା
ଶେଷରେ ତୋତେ ପ୍ରାଣହୀନ କରି କଳା କିଟବିଟ୍
ନିରାଶା ନିଃସଙ୍ଗତାର ଅତଳ ଭଉଁରୀ ମୁହଁକୁ
ଠେଲି ଦେବାରେ ତା'ର ବି କିଛି କମ୍ ଭୂମିକା ନଥିଲା
ତୁ ବଞ୍ଚିବାକୁ ଭାସୁଥିବା କାଠ ଗଣ୍ଡିକୁ ଆଶ୍ରା କଲୁ
ସେ କାଠ ଗଣ୍ଡି ଯେ ମଣିଷ ଖିଆ କୁମ୍ଭୀର ନପାଲଟୁ
ଏତିକି ଲୋକଦେଖାଣିଆ ସମବେଦନା ଦେବା ଛଡ଼ା
ତା'ର ଆଉ କିଛି କରିବାର ସାହାସ କି ସାମର୍ଥ୍ୟ ନଥିଲା
ଏଭଳି କାପୁରୁଷ ଅପକୃଷ୍ଟ ଅମଣିଷଟିଏ କ'ଣ କେବେ
ନିଜ ଭୁଲ୍ କୁ ସ୍ୱିକାର କରି ନିଜକୁ ସୁଧାରି ପାରେ
କ୍ଷମା ମାଗିବାର କ୍ଷମା ଦେବାର ବୀରତ୍ୱ ଦେଖାଇ ପାରେ ?
ନାଁ ସେ ଦେଖାଇ ଥିବା ନିଷ୍ଠୁରତା ଭୀରୁତା ଜଡ଼ତା
ପଛରେ ଲୁଚିଥିଲା ଅସହାୟତା ସୀମାବଦ୍ଧତାକୁ
ଅତିକ୍ରମ କରି ନପାରିବାର ତିବ୍ର ଅସହ୍ୟ ବ୍ୟର୍ଥତା
ନାଁ ସର୍ବ ଶକ୍ତିମାନ ବୋଲାଉଥିବା ଇଶ୍ଵର ବିରୁଦ୍ଧରେ ଥିଲା
ଏକ ଆନ୍ତରିକ ନିଷ୍ଠାପର ଅସହଯୋଗ ବିଦ୍ରୋହ ?