STORYMIRROR

Kabiratna Nutan Kumar Behera

Abstract Drama

4  

Kabiratna Nutan Kumar Behera

Abstract Drama

ଲକ୍ଷ୍ମୀ ନୃସିଂହ ବେଶ

ଲକ୍ଷ୍ମୀ ନୃସିଂହ ବେଶ

1 min
364

       


ଇଚ୍ଛାମୟ ପ୍ରଭୁ    ଇଚ୍ଛାରେ ତୁମର

      ଚାଲୁଛି ସାରା ସଂସାର,

କ୍ଷଣିକେ ଆଲୁଅ    କ୍ଷଣିକେ ଅନ୍ଧାର

      କର ତୁମେ ହେ ଠାକୁର।

ଅନନ୍ତ ମହିମା      ଅପାର କରୁଣା

     କେତେ ଭାବ କେତେ ରୂପ,

ଦେଖିଲେ ନୟନ     ହୁଅଇ ପବିତ୍ର

       ଦୂର ହୋଇଯାଏ ପାପ।

ବରଷ କୁ ବାର     ମାସର ଅନ୍ତରେ

      ତୁମର ଚବିଶ ବେଶ,

ଭକ୍ତ ଆଗେ ଉଭା  ହୋଇ କର କୃପା 

      ଅଭିନବ ସେ ପ୍ରକାଶ।

ତୁମ ଦିବ୍ୟ ଜ୍ୟୋତି  ବ୍ରହ୍ମାଣ୍ଡରେ ଦୀପ୍ତ

      ଜ୍ୟୋତି ର ତୁମେ ଆଧାର,

ତୁମ ରୂପକାନ୍ତି       ବର୍ଣ୍ଣିବାକୁ ଶକ୍ତି

      କିଞ୍ଚିତେ ନାହିଁ ତ ମୋର।

କରୁଣା ଟିକିଏ       କର ମହାପ୍ରଭୁ

      ବର୍ଣ୍ଣିବି ମୋ ସାଧ୍ୟ ମତେ,

ପ୍ରକୃତି ପୁରୁଷ       ସବୁ ତୁମ ଦାନ

     ଦେଖୁଛି ଜଗତେ ଯେତେ।

ହୋଇ ନାନା ବେଶ  ଲୀଳା କର ତୁମେ

      ହେ ପ୍ରଭୁ ଶ୍ରୀ ଲୀଳାମୟ,

ରୂପେ ରୂପାନ୍ତର    ହୋଇ ପ୍ରଭୁ ତୁମେ

       କର ସବୁ ମଧୁମୟ।

ଲକ୍ଷ୍ମୀ ନୃସିଂହ ର    ବେଶ ହୁଅ ତୁମେ

      କାର୍ତ୍ତିକ ର ଶୁକ୍ଳ ପକ୍ଷେ,

ଚତୁର୍ଦ୍ଦଶୀ ତିଥି      ଶୁଭ ଲଗନ ରେ

    ସେ ବେଶ ଝଟକେ ବକ୍ଷେ।

କିଆ ଲାଗି ଚୂଳେ   ଆନନ୍ଦର ଭୋଳେ

      ହୋଇ ଥାଅ ଯେ ପ୍ରକଟ,

ସୁନାର ଶ୍ରୀଭୁଜ      ସୁନା ଶ୍ରୀପୟର

      ଅଳଙ୍କାରେ ଦିବ୍ୟ ଥାଟ।

ସତ୍ୟ ଯୁଗେ ପ୍ରଭୁ    ନୃସିଂହ ରୂପରେ

      ହିରଣ୍ୟ କୁ ଯେ ବିଦାରି,

ଭକତ ପ୍ରହ୍ଲାଦ       ମାନ ରଖି ଥିଲ

      ବିପଦୁଁ ତାଙ୍କୁ ଉଦ୍ଧାରି।

ଧନ୍ୟ ମହାପ୍ରଭୁ     ନରସିଂହ ରୂପେ

      ନେଇ ଥିଲ ଅବତାର,

ସଙ୍କଟୁ ଧର୍ମକୁ     ରଖି ଯୁଗେ ଯୁଗେ 

     ପାଳୁଅଛ ଏ ସଂସାର।

ଲକ୍ଷ୍ମୀ ନାରାୟଣ    ରାଧା ଦାମୋଦର

      ସମ ଏ ଲକ୍ଷ୍ମୀ ନୃସିଂହ,

ଏକାଧାରା ରେ ଯେ  ନର ନାରୀ ବେଶ

      ଧରି ତୁମେ ମନ ମୋହ।

ମହାପ୍ରଭୁଙ୍କର      ନୃସିଂହ ବେଶକୁ

      ଭକତ କଲେ ଦର୍ଶନ,

ରହିଛି ବିଶ୍ଵାସ     ମିଳେ ମହା ପୁଣ୍ୟ

     ସାର୍ଥକ ହୁଏ ଜୀବନ।

ନମଃ ନାରାୟଣ    ନମଃ ବାସୁଦେବ

     ଚରଣେ ମାଗେ ଶରଣ,

ଦେଖି ତୁମ ବେଶ    ଦିନ କଟି ଯାଉ

       ରଖ ତୁମ ବଡ଼ପଣ।

 


      

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract