ଶୀତ ଲହରୀ7
ଶୀତ ଲହରୀ7
ମୁକ୍ତାସମ ଶୁଭ୍ର କାକର ଟୋପା
ଆହାକି ସୁନ୍ଦର ସେ ମନଲୋଭା
କବି ଭାବୁକଙ୍କୁ ଆକୃଷ୍ଟ କରି
ହୃଦୟକୁ କ୍ଷଣେ ନିଏ ସେ ହରି ।।
ଶୀତ ସକାଳର ସୁନେଲୀ ଖରା
ଅପରୂପା ସଦା ସେ ମନୋହରା
ଭାବାଚ୍ଛନ୍ନ କରି ମୋହୁଛି ଚିତ୍ତ
ଚଷାଭାଇ ଗାଏ ସୁରିଲା ଗୀତ ।।
ଯାମିନୀର ଶୋଭା କରେ କିମିଆଁ
ଜାଡର କଷ୍ଟକୁ ହରୁଛି ନିଆଁ
ଅବର୍ଣ୍ଣନୀୟ ଏ ରୂପସମ୍ଭାର
ସର୍ବ ଦୁଃଖଶୋକ କରଇ ଦୂର ।।
ଘାସ ଗାଲିଚାରେ ଶିଶିର ବୁନ୍ଦା
ହୀରା ମୁକୁତାକୁ ଦିଅଇ ନିନ୍ଦା
ପ୍ରକୃତି ସମ୍ମୁଖେ ସଭିଁଏ ତୁଚ୍ଛ
କୃତିମ ଚିଜ ଯେ ନିହାତି ପଛ ।।
ଧନ୍ଯ ହେ ବିଧାତା ତୁମରି ସୃଷ୍ଟି
ରଖିଥାଅ ସଦା କୃପାର ଦୃଷ୍ଟି
ସୁରକ୍ଷାକର୍ତ୍ତା ଯେ ତୁମ୍ଭେ ଆମର
ମାନବ ଜାତିକୁ ନ କର ପର ।।