ପ୍ରିୟାର ଶୋଭା
ପ୍ରିୟାର ଶୋଭା
ପ୍ରେୟସୀ ଅଧର କମଳ ସମ
ଭ୍ରମରକୁ ସତେ ହୋଇଲା ପ୍ରେମ
କଜ୍ଜ୍ଵଳପୂରିତ ନୟନ ତା'ର
ରସିକ ଚିତ୍ତକୁ ମାରଇ ଶର ।।
ଭ୍ରୂଲତା ଯୁଗଳ କିମିଆଁ କରେ
ଘନ ମୁକ୍ତକେଶୀ ପ୍ରାଣକୁ ହରେ
କପାଳେ ତାହାର ଶୋହାଏ ବିନ୍ଦି
ପ୍ରେମିକ ହୃଦୟ ହୁଏରେ ବନ୍ଦୀ ।।
ଗ୍ରୀବାଦେଶେ ସାଜେ ମାଣିକ୍ୟ ହାର
ପ୍ରାଣପ୍ରିୟା ମନେ ତୋଳିଛି ଘର
ହେମକାନ୍ତି ତନୁ କି ମନଲୋଭା
ଲୋହିତ ବସନ ବଢାଏ ଆଭା ।।
କୋମଳ ଉରଜ ପ୍ରମତ୍ତ କରେ
କାମଭାବ ଚିତ୍ତ ଦହନ କରେ
କ୍ଷୀଣକଟି କେଡେ ଆକର୍ଷୀ ଦିଶେ
କରଦ୍ବୟ ସତେ ମଧୁର ବାସେ ।।
ରୂପକୁ ତାହାର ବର୍ଣ୍ଣିବା ଲାଗି
ବିମୁଗ୍ଧ ପ୍ରେମିକ ସାଜିଛି କବି
ପ୍ରିୟାର କାନ୍ତିକୁ କରିଣ ଦୃଷ୍ଟି
ପ୍ରେମର ରସରେ ରଚଇ ସୃଷ୍ଟି ।।

