ସର୍ବହରା
ସର୍ବହରା
ସର୍ବହରା ଆମେ ଅଟୁରେ ହୀନ
ବିହି ଯେ ଗଢ଼ିଛି ସଜାଇ ଦୀନ
ଉଦର ଜ୍ବାଳାରେ ଯାଉଛି ପ୍ରାଣ
ଅତୀବ ଦୁରୂହ ପ୍ରତିଟି କ୍ଷଣ ।।
ପୁଞ୍ଜିପତି ମୁଖେ କୁଟିଳ ହସ
ସର୍ବହରା ଗୋଷ୍ଠୀ ପିଅନ୍ତି ବିଷ
ଦାରିଦ୍ର୍ୟତା ଆମ କପାଳେ ଲେଖା
ଅଦୃଷ୍ଟ ବିଧାତା ନଦିଏ ଦେଖା ।।
ନିରନ୍ନ ହୋଇଣ ମରୁଛୁ ନିତି
କେତେ କାଳଖଣ୍ଡ ଯାଇଛି ବିତି
ମଥାର ସ୍ୱେଦକୁ ତୁଣ୍ଡରେ ମାରି
ଜୀବନ ଯୁଦ୍ଧରେ ଯାଇଛୁ ହାରି ।।
ଆମରି ଶୋଣିତେ ଗଢ଼ା ଏ ସୃଷ୍ଟି
ନେତ୍ରରୁ କ୍ଷରିତ ଲୋତକ ବୃଷ୍ଟି
ନିଷ୍ପେଷିତ ସାଜି ତୋଳୁ ସଦନ
ହତଲକ୍ଷ୍ମା ଅଟେ ଆମ ବଦନ ।।
ଅଲୋଡ଼ା ସାଜିଲୁ ସମାଜ ଲାଗି
ଧନୀକ ଶ୍ରେଣୀୟ ସାଜନ୍ତି ଭୋଗୀ
ଯାତନା ଆମର ଘୁଞ୍ଚିବ ଯେବେ
ବୈଷମ୍ୟତା ଭାବ ହଟିବ ସେବେ ।।
