ଶିବରାତ୍ରି ସ୍ତୁତି (୨ୟ ଖଣ୍ଡ )
ଶିବରାତ୍ରି ସ୍ତୁତି (୨ୟ ଖଣ୍ଡ )
ଶିବରାତ୍ରି ପରି ଆଜି ପବିତ୍ର ଦିନରେ
ତୁମକୁ ପୂଜୁଛି ହେ ଶ୍ମଶାନବାସୀ
ହେ ମୃଗପାଣି ଧ୍ୟାନ କରୁଛି ତୁମକୁ
ବୃଷାରୁଢ଼ ହେ କୈଳାଶବାସୀ ।
ତ୍ରିପୁରାସୁରକୁ ବଧିଅଛ ତୁମେ
ଆହେ ପ୍ରଭୁ ତ୍ରିପୁରାନ୍ତକ
ହେ ଭୀମା ଶଙ୍କର ଜଟାଜୁଟ ଶିବ
ପରସୁହସ୍ତ ଯେ ବୃଷାଙ୍କ।
ଶରୀରରେ ଭସ୍ମ କରିଛ ଲେପନ
ତୁମେ ଶମ୍ଭୁ ପଞ୍ଚାନନ
ଭସ୍ମୋଦ୍ଦୁଲିତ ବିଗ୍ରହ ତୁମେ
କରୁଛି ତୁମକୁ ଧ୍ୟାନ।
ସରଧାରେ ଆଜି ଦେବି ମୁଁ ରଖିଛି
ବେଲପତ୍ର ଚମ୍ପାମାଳ
ଗଙ୍ଗା ଜଳ ପ୍ରଭୁ ମୁଣ୍ଡରେ ଢ଼ାଳିବି
ଜୟ ବାବା ମହାକାଳ।
ବୃଷଭ ପିଠିରେ ସଂସାର ବୁଲୁଛ
ନେଇ ନାମ ବୃଷଭାରୁଢ଼
ପରମାତ୍ମା ନାମେ ବିଖ୍ୟାତ ହୋଇଛ
ହୋଇ ସବୁ ଆତ୍ମା ଠାରୁ ବଡ଼।
କବଚ ଧାରଣ କରି ପ୍ରଭୁ ତୁମେ
କବଚି ନାମ ଯେ ତୁମ୍ଭର
ଚନ୍ଦନ କର୍ପୂର ଲେପନ କରୁଛି
ଆହେ ପ୍ରଭୁ ଜଟାଧର।
ମହାମୃତ୍ୟୁଞ୍ଜୟ ଜପି ତୁଣ୍ଡେ ପ୍ରଭୁ
କରୁଛି ମୁଁ ଯେ ଗୁହାରି
ସଂସାରକୁ ତୁମେ ଭଲ କରି ରଖ
ସବୁ ପାପ ତାପ ହରି।
ନିଜ ପାଇଁ କିଛି ମାଗୁନାହିଁ ପ୍ରଭୁ
ମୁଁହି ଅକିଞନ ଅଜ୍ଞ
ମାଗିବି କାହିଁକି ସବୁ ତ ଜାଣୁଛ
ନାମ ତୁମ ଅଟେ ସର୍ବଜ୍ଞ।
ତୁମରି ପ୍ରସାଦେ ସାରା ସଂସାରରୁ
ଦୁଃଖ କଷ୍ଟ ହେଉ ଦୂର
ସମସ୍ତଙ୍କ ସ୍ବାମୀ ଆହେ ଅନିଶ୍ୱର
ଜୟ ବାବା ବିଶ୍ୱେଶ୍ୱର ।
