କଥାଦିଅ ସାଥୀ କେବେ ଛାଡିବାନି ହାତ
କଥାଦିଅ ସାଥୀ କେବେ ଛାଡିବାନି ହାତ
ବେଳା ଭୂମି ତଟେ ସାଥୀ ଆମେ ଦୁହେଁ
ଏକମନ ଏକପ୍ରାଣ
ଚାଲିବା ଏକାଠି ଭାବିବାନି କେବେ
ଜଣେ ଅନ୍ଯ ଠାରୁ ଭିନ୍ନ ।
ଡରିବାନି ଦେଖି ଜୁଆର ଓ ଭଟ୍ଟା
ଉତ୍ତାଳ ନୀଳ ସାଗର
ବାଲୁକା ଶାମୁକା ଗୋଟାଇ ଗଢିବା
ସପନର ବାଲିଘର ।
କଥାରେ କଥାରେ ବିତିଯିବ ବେଳା
ଅପରାହ୍ନ ଶୁଭସନ୍ଧ୍ଯା
ଉଇଁବେ ନୀଶିଥେ ଆକାଶେ ଚନ୍ଦ୍ରମା
ବାସ୍ନା କଇଁଫୁଲ ଜ୍ୟୋତ୍ସ୍ନା ।
ରଜନୀ ଗଭାରେ ଗୋଟି ଗୋଟି ହୋଇ
ଫୁଟିବ ବି ତାରାଫୁଲ
ଖୋଲି ମେଲି ଦେବା କଥା ଗପ ପେଡି
ହୋଇଯିବା ଏକାକାର ।
କଣ୍ଠ ଖୋଲି ଆମେ ଜୀବନ ସଙ୍ଗୀତ
ଗାଇବା ପଞ୍ଚମ ରାଗେ
ମୁଖରି ଉଠିବ ମୂର୍ଚ୍ଛନା ମଧୁର
ସୁପ୍ରଭାତେ ଅନୁରାଗେ ।
କଥାଦିଅ ସାଥୀ ଛାଡିବାନି ହାତ
ଆସୁ ଯେତେ ଝଞ୍ଜା ଝଡ
ରଚିବା ସୁନ୍ଦର ସ୍ବଚ୍ଛ ପ୍ରତିବିମ୍ବ
ଗଢିବା ସବୁଜ ନୀଡ ।