ଦିବ୍ୟ ପ୍ରେମ
ଦିବ୍ୟ ପ୍ରେମ
ସ୍ବଛ ସରସୀର ସୁନୀଳ ଜଳରେ
ଢଳଢଳ ନୀଳକଇଁ
ଧୀରେଧୀରେ ତାର ପାଖୁଡା ମେଲେଇ
ଶଶାଙ୍କଙ୍କୁ ଥାଏ ଚାହିଁ।
ନିଃଶବ୍ଦ ରାତ୍ରିର ନିଶାର୍ଦ୍ଧ ପ୍ରହରେ
ନବ ଅଭିସାର ରଚି
ମୁକୁଳିତ ହୁଏ ପ୍ରତିଟି ପାଖୁଡା
ଆନନ୍ଦରେ ନାଚିନାଚି।
ନିର୍ମଳ କୋମଳ ନୀଳବର୍ଣ୍ଣ ତାର
ମନଭୁଲା ଶୋଭାରାଜି
ଚନ୍ଦ୍ରିକା ପ୍ଲାବନେ ମଧୁପାନ କରି
ପ୍ରେମଧାରେ ଯାଏ ଭିଜି।
ଶାନ୍ତ,କାନ୍ତ,ସୌମ୍ଯ,ସ୍ମିତ ହାସ୍ଯରେଖା
ସମର୍ପିତ ତନୁମନ
ଅପୂର୍ବ ଆଭାର ପ୍ରୀତି ପୁଲକରେ
ଭାବାବିଷ୍ଟର ନୟନ।
କାହିଁ କେତେଦୂର ନୀଳ ନଭ ଦେଶ
ଆବେଗର ଆକର୍ଷଣ
ଏତେ ଗଭୀରତା ସର-ସଲିଳର
ଅନୁରୂପ ଆମନ୍ତ୍ରଣ।
କଲ୍ଲୋଳୀୟ ଭାବ ମାଧୁର୍ଯ୍ୟ ମହକ
ଶାଶ୍ବତ ସେ ଦିବ୍ଯ ପ୍ରେମ
ପ୍ରଣୟ ପୃଷ୍ଠାର ସୃଷ୍ଟିର ଆଧାରେ
ଅତୀବ ସେ ମନୋରମ।