ଲାବନ୍ୟା
ଲାବନ୍ୟା
ମନ କାନନରେ ମୃଦୁମଳୟ ତୁ
ଶୀତଳ ସ୍ପର୍ଶର କଅଁଳ ଛୁଆଁ
ଉଡିଯାଏ ପ୍ରାଣ ନବହିଲେ ତମେ
ଛୋଟ ପିଲାପରି କନ୍ଦେ ସେ କୁଆଁ ।
ଭରିଦେଇ ସବୁ ଖୁସିଗୁଡ଼ାକ କୁ
ଦେଖେଇ ବାସ୍ନାର କାମନା ସ୍ରୋତ
ହଜେଇ ଦେଇଛି ମନର ସୁବାସ
ଜପାଇ ଖାଲି ମୁଁ ପିରତୀ ସ୍ତ୍ରୋତ ।
ଗୋଲାପୀ ଓଠଟି ଗୋଲାପ ପାଖୁଡା
ମହକାଇ ଦିଏ ମନ ପିରତି
ଚାହିଁଲେ ଜମାରୁ ରୋକି ପାରୁନାହିଁ
ସବୁ ଛାଡ଼ି ଯାଏ ମନର ଗତି ।
ଗ୍ରୀଷ୍ମ ଲହରୀର ପ୍ରକୋପ ଜାଣେନା
ସଦା ଲାଗେ ମତେ ଶରତ ରାତି
ଥଣ୍ଡା ଥଣ୍ଡା ଲାଗେ ସୂର୍ଯ୍ୟଙ୍କ କିରଣ
ହଜେଇ ସବୁସେ କରେ ପୀରତି ।
ନୟନେ ତମର ନିଜକୁ ହଜେଇ
ଦେଖେ ଖାଲି ତମ ଚନ୍ଦ୍ର ବଦନ
ବୁଝି ପାରୁନାହିଁ କଣ ହଉଛି
କୋଉଠି ଅଛିଯେ କୋଉ ସଦନ ।
ଚଞ୍ଚଳ ତମର ପାଦର ନୁପୁର
ବଜେଇ ଦଉଛି ସତେ ପିଆନୋ
ଚେଇଁ ଉଠେ ଶୁଖିଲା ପ୍ରାଣ ମୋ
କାନରେ ପଡ଼ିଲେ ତାହାରି ସ୍ଵନ ।
ମଧୁର୍ଯ୍ୟଭରା ରୂପର ପସରା
ସତେ ରଙ୍ଗଭରା ଫୁଲର ଗୁଚ୍ଛ
ମହକାଇ ଦେଇ ଶୁଖିଲା ପ୍ରାଣକୁ
ବାକି ସବୁକୁ କରଇ ତୁଚ୍ଛ ।
ରୂପ ଲାବଣ୍ୟର ସମ୍ଭାର ଅଟଇ
ନାଁଟି ତୋର ଲାବନ୍ୟା
ମର୍ତ୍ତ୍ୟ ପୁରରେ ଜନମ ନେଇ ତୁ
କୋଉ ଅପସରା କନ୍ୟା ।।

