।।ଦେଖା ହେବା ଦିନେ।।
।।ଦେଖା ହେବା ଦିନେ।।
ଦେଖା ହେବି
ମୁଁ ତୋର
ଦେଖା ହେବି ନିଶ୍ଚିତ
କେବେ ପ୍ରଜାପତି
କେବେ ବର୍ଷା
କେବେ ସଂଜ
କେବେ ନଦୀ ହୋଇ।
ତୁ ପାଇବୁ ମତେ
ମହୁଲ ଫୁଲର ମହକରେ
ଆଳତି ଛନ୍ଦରେ
ଜଙ୍ଗଲର ନିର୍ଜନତା
ଆଉ ଆକାଶର ଅବିର ରଙ୍ଗରେ।
ମୁଁ ଥିବି ସେଇଠି
ଯୋଉଠି ଶଙ୍କରପୁର ବଜାରରେ
ସେ ବୁଢ଼ୀ ମେଲେଇ ଥିବ
ରଙ୍ଗ ବେରଙ୍ଗୀ ପସରା
ଯୋଉଠି ଦେଖିବୁ ଏକେଲା,
ଯନ୍ତ୍ରଣାରେ ଉବୁଟୁବୁ ମଣିଷ
ତାରି କଡ଼ରେ କୋଉଠି
ଠିଆ ହୋଇଥିବି ମୁଁ
ଯେବେ ତୁ ପଡ଼ିଯିବୁ
କେଉଁଠି ନା କେଉଁଠ ତୋର
ବାଳ ସାଉଁଳେଇ ଦେଉଥିବି
ମୁଁ
ଭଲ ପାଇବାର ପରିଧି ବାହାରେ ରହି
ଭଲ ପାଉଥିବି ତତେ
ତୁ ଖୋଜ ବା ନ ଖୋଜ
ନିଶ୍ଚିତ ବାରବାର ତୁ ଭେଟୁଥିବୁ ମତେ
ଶାଗୁଆନ ଛାଇରେ
ଖରାର ତାତିରେ,
ଯେତିକି ଦୂରେଇ ଯାଉଥିବୁ
ସେତିକି ଅଧିକ
ପାଉଥିବୁ ସଦାକାଳ,
ହରେକ ମୁହୂର୍ତ୍ତେ।।

