ପାଦ ଝୁଣ୍ଟିଆ
ପାଦ ଝୁଣ୍ଟିଆ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
. ବେଳେ ବେଳେ ଅର୍ଥନୀତିର ଜନକ କୁହାଯାଉଥିବା ପୁଞ୍ଜିବାଦର ପିତାମହ ପ୍ରଖ୍ୟାତ ବିଖ୍ୟାତ ବିଶ୍ଵବନ୍ଦନୀୟ ସ୍କଟିସ୍ ଅର୍ଥଶାସ୍ତ୍ରୀ ଡେଭିଡ୍ ଆଡ଼ାମ୍ ସ୍ମିଥିଙ୍କ ଉପରେ ମୋର ଶ୍ରୀମତୀ ଶ୍ରୀଯୁକ୍ତା ଲତାଶ୍ରୀ ବିଶ୍ଵାଳ ( ଶ୍ରୀ) ଆମର ରାଗରେ ଗରଗର କନକନ ହୁଅନ୍ତି । କାରଣ ତାଙ୍କ କଥିତ " ଶ୍ରମ ହେଉଛି ସମସ୍ତ ପ୍ରକାର ସମ୍ପ୍ରଦର ଉତ୍ସ " ଭକ୍ତି ମୂଲ୍ୟହୀନ ଶବ୍ଦସାର ଶୂନ୍ୟତା ଭଳି ସ୍ତ୍ରୀଜାତି ପାଇଁ ତଥା ସମଗ୍ର ଘର ଗୃହସ୍ଥି ସମ୍ଭାଳୁଥିବା ଗୃହଣୀ ଓ ହାଉ ସୱାଇଫ୍ ବର୍ଗ ପାଇଁ ।
ତାର ଯୁକ୍ତି ବି ଅକାଟ୍ୟ ଲାଗେ । କାରଣ ଘୋର କରେ।ନା ମହାମାରୀ କାଳରେ ତାଲା ବନ୍ଦ ବେଳରେ କୋଭିଡ କଟକଣା ଆଳରେ ରୋଷେଇ ଶାଳରେ ପୁରା ଗହଳି ଯୌଥ ପରିବାର ପାଇଁ ବଡ଼ି ସକାଳୁ ବେଶି ରାତି ଯାଏଁ ଅଠର ଘଣ୍ଟିଆ ଝାଳ ବୁହା ପରିଶ୍ରମ କରୁଥିବା ମହିଳାମାନଙ୍କ ପାଇଁ ନା ଅଛି କରୋନା ଯୋଦ୍ଧାର ସମ୍ମାନ - ନା ଅଛି ଦୀପ ଜଳେଇ ବନ୍ଦନ - ଘଣ୍ଟ ଘଣ୍ଟା ବଜେଇ ବନ୍ଦାପନ - ଗୋଲାପ ଫୁଲର ବର୍ଷଣ - ପୁଷ୍ପଗୁଚ୍ଛ ଫୁଲତୋଡା ପ୍ରଦାନ - ନା ଅଛି ବନ୍ଦେ ଉତ୍କଳ ଜନନୀ ଭଳିଆ ରାଜ୍ୟବ୍ୟାପି ଦେଶବିଦେଶ ବ୍ୟାପି ସମୂହ ଗାନ୍- ନା ଅଛି ଜୀବନ ବୀମାର ସୁବିଧା ପ୍ରଦାନ । ବରଂ ଅଛି ପ୍ରକାରାନ୍ତରେ ନୂଆ ନୂଆ ଖାଦ୍ୟ ବ୍ୟଞ୍ଜନର ବରାଦ ଓ ଉକ୍ଷଣ । ଉପହାର ସ୍ୱରୂପ ବେଳେ ବେଳେ ନିଆଁଖୁଣ୍ଟା ପତ୍ରିକା ଠାରୁ ବି ଭୟଙ୍କର କଟୁ କଟାକ୍ଷ ପିଡା ଦାୟକ ମନ୍ତବ୍ୟ ଓ ଗୁରୁ ଗମ୍ଭୀର ସମ୍ଭାଷଣ ।
କିନ୍ତୁ ସବୁବେଳେ ରାଗୁଥାନ୍ତି ଅଭିମାନ କରନ୍ତି ନିଜର ଅତି ଆପଣାର ଇହପର କାଳ ଦେବତା ପତିଦେବ ସନ୍ତୋଷ କୁମାର ବିଶ୍ଵାଳ ବାବୁଙ୍କ ଭପରେ । ହେଇ ଦେଖୁନ ! ୨୦୧୯ ଆଜିର ଦିନରେ ଜୁନ୍ ୨ ତାରିଖରେ ତାଙ୍କ ସହିତ ଶ୍ରୀର ପାଣିଗ୍ରହଣ ପର୍ବ ବେଶ୍ ଧୁମ୍ ଧାମରେ ସମାପନ ହୋଇଥିଲା । କାନ୍ଥରେ ଅଙ୍କା ଯାଇଥିବା " ଶୁଭ ପରିଣୟ" ର ଐନ୍ଦ୍ର ଜାଲିକ ଚିତ୍ରପଟ ଆଜିବି ଟଟକୁଛି ଝଲସୁଛି ।
ଦୁଃଖର ପରିତାପର ବିଷୟ ଏହି କି ଯେ ଅଫିସ୍ ନଯାଇ ଦୀର୍ଘ ୬୮ ଦିନ ହେଲା ୱାର୍କ ଫ୍ରମ ହୋମ୍ କାମ କରୁଛନ୍ତି ବିଶ୍ଵାଳ ବାବୁ । ସବୁ ବେଳେ ବ୍ୟସ୍ତ ତ୍ରସ୍ତ ବିବ୍ରତ । ସବୁବେଳେ କାର୍ଯ୍ୟ ବ୍ୟସ୍ତ ମୋବାଇଲ ବ୍ୟସ୍ତ ଲାପ୍ ଟପ୍ ବ୍ୟସ୍ତ । ଦି ପଦ ମଧୁରିଆ କଥା ହେବାକୁ ଦଣ୍ଡେ ବି ଫୁରସତ ନାହିଁ ।
ତେଣୁ ବେଳେ ବେଳେ ଶ୍ରୀର ଆଶାର ଆକାଶରେ ଛାଇଥାଏ କଳାହାଣ୍ଡିଆ ବାଦଲ । ଜୀବନଟା ଫିକା ଫିକା ମରୁଭୂମୀ ଭଳି ଲାଗେ । ଶରୀରଟା ବରଫ ପାଲଟେ । ମନ ପକ୍ଷୀ ବିଳପୁ ଥାଏ ବାହୁନି ଥାଏ ଗୁମୁରି ଗୁମୁରି । ଆଖିରୁ ଝରିଯାଏ ଶ୍ରାବଣର ବାରିଧାରା ଜ୍ୟେଷ୍ଠ ମାସର ଦାରୁଣ ନିଦାଘ କାଳରେ । ନାରୀର କଆଁଳ ଦୃଦୟ ବିଦିର୍ଣ୍ଣ ହୁଏ ବ୍ୟଥା ଓ ବେଦନାର ଆର୍ତ୍ତନାଦରେ ଓ ଆତ୍ମମନ୍ଥନରେ ।
ଏମିତି ଏକ ନିରୋଳା ଅପରାହ୍ନ । ପଲଙ୍କ ଉପରେ ଗଡୁ ଗଡ଼ୁ ମନକୁ ଗୋଟେ ଅଖାଡୁଆ ଅଭୁତ ଉଦ୍ଭଟ ଧାରଣାଟିଏ ଶ୍ରୀଙ୍କ ମନ ମଗଜକୁ ଚିନ୍ତା ଚେତନାକୁ ଧସେଇ ପଶି ଆସିଲା ଜସପ୍ରୀତ ବୁମ୍ରାର ଇନ୍ ସ୍ୱିଙ୍ଗ କ୍ରିକେଟ ବଲ ଭଳିଆ । ମନେ ମନେ କୁରୁଳି ଉଠିଲେ ଲତାଶ୍ରୀ ମ୍ୟାଡ଼ାମ୍ ।
ଯଦି ସିଏ ତାଙ୍କ ପତି ଦେବ ସନ୍ତୋଷ କୁମାର ବିଶ୍ଵାଳ ବାବୁଙ୍କୁ ଛାଡ଼ି ଚାଲିଯିବାର ଅଭିନୟ କରନ୍ତେ ---- ଆର୍ଯ୍ୟ ପୁତ୍ରଙ୍କୁ କେମିତି ଲାଗନ୍ତା - ସ୍ୱାମୀ ଦେବଙ୍କ ଆଡ଼ୁ ବୈଜ୍ଞାନିକ ଆଇଯାକ୍ ନିଉଟନ୍ଙ୍କ ତୃତୀୟ ନିୟମ ଭଳିଆ ବିପରୀତ ପ୍ରତିକ୍ରୀୟା କିପରି ଆସନ୍ତା -- ପତିଦେବଙ୍କର ଇଜିପଟ୍ ଦେଶର ସ୍ପିଙ୍ଖସ୍ ପରିକା ପ୍ରତିକ୍ରୀୟା ଶୂନ୍ୟ ମୁଖମଣ୍ଡଳରେ ମୁଖାର ବିନ୍ଦୁରେ କେମିତିକା ଅଙ୍ଗଭଙ୍ଗିମାର ତରଙ୍ଗାୟିତ ହିଲ୍ଲୋଳ କଲ୍ଲୋଳ ଆସନ୍ତା ? ଯାହା ଲୁଚିଛପି ଦେଖି ପରଖି କରୋନା ବେଷ୍ଟିତ ଭୀତ-ତ୍ରସ୍ତ-ବ୍ୟସ୍ତ- ବିବ୍ରତ ଜୀବନଚର୍ଯ୍ୟାରୁ କିଂଚିତ ତ୍ରାହି ମିଳିବାର ଖୋରାକ ଯୋଗାନ୍ତା ।
ପୁରା ବିଚାରଟିକୁ ନାଟକୀୟ ମୋଡ ଦେବାକୁ ଶ୍ରୀ ମ୍ୟାଡ଼ାମ୍ ଗୋଟେ କାଗଜ ଉପରେ ଲେଖିଦେଲେ ----
" ମୁଁ ଆଉ ତୁମ ସହିତ ରହି ପାରିବିନି । ଆଜିଠାରୁ ସବୁ ଶେଷ ଭାବିବ ! ତୁମ ସହିତ ରହି ରହି ମୁଁ ଶିଝି ଗଲିଣି । ଶାଶୁ -ଶ୍ଵଶୁର ଓ ନଣନ୍ଦ- ଦିଅରଙ୍କ କଟୁକଥା ଗୁଣ୍ଡୁଣା ଶୁଣି ଶୁଣି ମୁଁ ଅତିଷ୍ଠ ହେଲିଣି । ମୁଁ ଘର ଛାଡ଼ି ଯାଉଛି ସବୁ ଦିନ ପାଇଁ । ଖୋଜିବାକୁ ଚେଷ୍ଟା କରିବନି । ମୋ ରାଣ ରହିଲା । ଶେଷ ଦଣ୍ଡବତ ତୁମ ପାଦ ପଙ୍କଜରେ । ଇତି ତୁମର ଲତା ଶ୍ରୀ ।"
ଚିଠିଟିକୁ ଟେବୁଲ ଉପରେ ପାଣି ବୋତଲ ତଳେ ଚାପି କି ରଖିଦେଲେ । ଯେତେବେଳେ ଶ୍ରମିକ ସ୍ପେଶାଲ ଟ୍ରେନ୍ ଡ୍ୟୁଟି ସାରି ଘରକୁ ଆସିବାର ସମୟ ହେଲା ସ୍ୱାମୀଙ୍କର , ତାଙ୍କ ରିଏକଶନ୍ ଦେଖିବା ପାଇଁ ପଲଙ୍କ ତଳେ ଲୁଚିଗଲେ ଶ୍ରୀ ।
ବିଶ୍ଵାଳ ବାବୁ ଘରକୁ ପଶି ଆସିଲେ ସବୁ ଦିନିଆ ଢଙ୍ଗରେ । ପାଣି ବୋତଲକୁ ଦେଖି ପାଣି ପିଇବାକୁ ଉଦ୍ୟତ ହୁଅନ୍ତେ ଆଖିର ଆଗରେ ଚିଠି ।
ପାଣି ବୋତଲ ଠିପି ଖୋଲିବେ କଣ ପାଣି ପିଇବା ବନ୍ଦ କରି ଚିଠି ପଢ଼ିଲେ ଠିଆ ଠିଆ । ପୂରା ଚୁପ୍ ଚୁପ୍ --- ନିସ୍ତବ୍ଧ ପରିବେଶ ବେଡ଼ ରୁମର ଚାରିଆଡ଼େ । ଏକଡ଼ ସେକଡ଼ ନଜର ଘୁରେଇଲେ । ଧପ୍ କିନା ବେଡ଼ ଉପରେ ବସି ପଡ଼ିଲେ ଅଗତ୍ୟା ବିଶ୍ଵାଳ ବାବୁ । କିଛି ଲେଖି ବସିଲେ ।
ପୁଣି କିଛି ସମୟ ପରେ ସିଟି ବଜେଇ ଖୁସି ଖୁସି ରୋମାଣ୍ଟିକି ଗୀତ ଗାଇବାକୁ ଲାଗିଲେ ---- ସହରରେ ଲାଗିଯିବ ନିଆଁ--- ତୁ ଯାଆନା ଖରାବେଳେ ଏକା ଏକା -----
ପୁଣି ଆଇଟମ୍ ଗୀତ ଗାଇ ଗାଇ ଡ୍ୟାନସ୍ କରିବା ଆରମ୍ଭ କରିଦେଲେ---- ବିଲ୍ଲୋ ରାଣୀ...ଶିଲା କି ଜବାନୀ --- ଫେଭି କଲ --- ଝଣ୍ଡୁବାମ ଇତ୍ୟାଦି ଇତ୍ୟାଦି । ଏମିତି ମସ୍ତି ଭିତରେ କପଡ଼ା ବି ବଦଳେଇ ଦେଲେ ।
ଟାୱେଲ ପିନ୍ଧି ବାଲକୋନୀ କୁ ଆସିଲେ ଓ କାହା ସହିତ ଫୋନରେ ରସିକିଆ କଥା ହେଲେ -----
" ହ୍ଯାଲୋ ଡାରଲିଙ୍ଗ ! ଆଜି ମୁଁ ମୁକ୍ତ ଆକାଶର ବିହଙ୍ଗ ହୋଇଗଲି ଶିଲା। ବୁଝିଲ ଟି । ମୁକ୍ତିର ଅନନ୍ଦ ମୁଁ ଅନୁଭବ କରୁଛି ପିଞ୍ଜରା ଭଡ଼ା ଚଢ଼େଇ ପରି । ମୁର୍ଖ ହୁଣ୍ଡି ଗାଉଁଲି ଉଦଣ୍ଡି ସ୍ତ୍ରୀ ଆଜି ଜାଣି ପାରିଲା ଯେ ସେଟା ମୋ ଭଳିଆ ଟେକ୍ନୋ ସେଭି ଟେକ୍ନୋକ୍ରାଟ ଗ୍ଳୋବାଲାଇଜଡ ଟୋକା ପାଇଁ ଯୋଗ୍ୟା ନୁହଁ । ଏକ ଦମ ମିସ୍ଫିଟ ମଫଟା ।
ଆଉ ଶୁଣ ! ଆଜି ସେ ପୁରାପୁରି ଘର ଛାଡ଼ି ପଳେଇଛି କୁଆଡ଼େ ?
ମୁଁ ପୂରା ସ୍ଵାଧୀନ । ଗୋଟ ବଡ଼ କଣ୍ଟା ଗଲା । ବଡ଼ ବନ୍ଧନରୁ ମୁକ୍ତ ହେଲି । କାଳନାଗୁଣୀର ନାଗ ଫାସରୁ ବଞ୍ଚି ଗଲି ।
ହଁ ଶୁଣ ! ତୁମ ସହିତ ଭେଟ କରିବାକୁ ଆସୁଛି । ବହୁତ କଥା ହେବାର ଅଛି ।
ତୁମ ସହିତ ଲୁଚି ଲୁଚି ଛପି ଛପି ରାସଲୀଳା କରୁଥିଲି -- ତାହା ଆଜିଠୁଁ ପୂର୍ଣ୍ଣଛେଦ । ଖୋଲା ଖୋଲି ଖୁଲମଖୋଲା ପ୍ରେମ କରିବା -- ମିଶିବା -- ପାର୍କରେ । ବାର ରେଷ୍ଟୁରାଣ୍ଟ ତ ତଲା ବନ୍ଦ । ଚଳେଇ ନେବା ପାର୍କରେ ଜାନୁ ।
ଆଉ ଟିକେ ଶୁଣ ଶିଲା ! ତୁମ ଘର ଆଗରେ ଯେଉଁ ଗୋପବନ୍ଧୁ ପାର୍କ ଅଛି , ତୁମେ ଶିଘ୍ର ପଳେଇ ଆସ । ଡେରି କରିବିନି ଜମା । ହଁ ଶୁଣ ! ତୁମେ ସେହି ଆକାଶିଆ ରଂଗର ଶାଢିଟି ପିନ୍ଧି ଆସିବ ଯାହା ଶ୍ରୀଦେବୀ ମିଷ୍ଟର ଇଣ୍ଡିଆ ମୁଭି ରେ ପିନ୍ଧିଥିଲେ ।
ଆଇ ଲଭ ୟୂ ଜାନୁ . . . . ଚୁ...ଚୁ . . .
ହଁ ଶୁଣ ! ମୁଁ ଡ୍ରେସ୍ ବଦଳେଇଲି ଆଉ ବାହାରିଲି । ତୁମେ ଜମା ଡେରି କରି ବିନି । ମୋ ଗେଲ୍ଲୀ-- ମୋ ସୁନା .. ମୋ ହୀରା --- ମୋ ଶୀଲା ----
ଗୁଣୁ ଗୁଣେଇ ବିଶ୍ଵାଳ ବାବୁ ରୁମ୍ ଭିତରକୁ ଆସିଲେ ଓ ନୂଆ ଫୁଲ ପକା ସାର୍ଟ ଓ ଜିନସ୍ ପ୍ୟାଣ୍ଟ ପିନ୍ଧି ଅତର ସିଞ୍ଚି ପୂରା ରୋମିଓ --- ଯାଉଛନ୍ତି ପ୍ରେୟସୀ ଜୁଲିଏଟ୍ ସହିତ --- କେଦାର ଯାଉଛନ୍ତି ପ୍ରୀୟତମା ଗୌରୀ ସହିତ ମିଶିବାକୁ-- ସଧ୍ୟାର ସେହି ନିବିଡ଼ ପାର୍କର ମହାକୁଞ୍ଜ ତଳେ ।
ଆଖିରେ ଅଶ୍ରୁର ଧାରା ଶ୍ରାବଣ ନେଇ ସ୍ତ୍ରୀ ଲତାଶ୍ରୀ ପଲଙ୍କ ତଳୁ ବାହାରିଲେ । ଲୁହ କୋହରେ ସର୍ବୋପରି ଥରୁ ଥାନ୍ତି ବାତ୍ୟା ସମୟରେ କଦଳୀପତ୍ର ପରିକା । ଦେଖିଲେ ତାଙ୍କ ଲିଖିତ ଚିଠିର ପଛ ପାଖରେ କିଛି ଲିଖିତ । ଥର ଥର ହାତରେ କଂପିତ ଓଠରେ ପଢ଼ିଲେ -+-+
ପଲଙ୍କ ତଳେ ତୋ ପାଦ ଝୋଣ୍ଟିଆ ଦିଶୁଥିଲା ପାଗଳୀ ! ପାର୍କ ପାଖ ଦାମା ମହାରାଜା କୁ ଯାଉଛି ପ୍ରଥମ ବିବାହ ବାର୍ଷିକୀର ହ୍ୟାପି କେକ୍ ଆଣିବାକୁ । ତୁମେ କଳା ମନ୍ଦିର କଭରରେ ଥିବା ପାଟ ଶାଢୀଟା ପିନ୍ଧି ତୟାର ଥିବ । ରହି ହେଉନି ଏ ନାଟକ ପରେ ।
ମୋ ଜୀବନର ସବୁ ଖୁସିର ବାହାନା ତୁ ତୁହି ତୁ
ଅଧେ ମିଳେ ତୋତେ ରଗେଇଲେ
ଆଉ ଅଧେ ତୋତେ ମନେଇଲେ
ମୋ ଜୀବନର ଶେଷ ଠିକଣା ତୁ ତୁହି ତୁ ।