କିସ କରିବ ଲକ୍ଷଣରେଖା
କିସ କରିବ ଲକ୍ଷଣରେଖା
କବିତା - କିସ କରିବ ଲକ୍ଷ୍ମଣରେଖା ?
ରଚନା - ପଞ୍ଚାନନ ଜେନା
ତାରିଖ -୦୮-୧୧-୨୦୨୫
+++++++++++++++++++
ଆଖି ଉପକୂଳ ଲଂଘି ଡେଇଁ
ଲୁହ ଝରିପଡେ ପଲକ ଛୁଇଁ
ସବୁ ନିଗିଡିବା ଆଗରୁ ଯଦି
ଓଠ ଆକଣ୍ଠ ଢ଼କଢ଼କ ପିଇଯାଏ
କିସ କରିପାରିବ ତୁମେ ଅବା ମୁହିଁ ?
ଅନାବନା ଭାବନାର ରେଖା
ଅଙ୍କାବଙ୍କା ଆଶା ସୀମାରେଖା
ସବୁ ଟଣାହେବା ଆଗରୁ ଯଦି
ବିବେକ ହାତ ଲମ୍ବେଇ ଲିଭେଇ ଦିଏ
କିସ କରିପାରିବ ଲକ୍ଷ୍ମଣରେଖା ?
ଛାତିତଳେ ଫୁଟୁଥିବା ଅସରନ୍ତି କୋହ
ଛାତିଫଟେଇ ବାହାରେ ଲାଭାର ସୁଅ
ସବୁ ବୋହିବା ଫୁଟିବା ଆଗରୁ ଯଦି
ଧୌଯ୍ୟର ଡାମ୍ପଣରେ ସିଲେଇ ହୁଏ
କିସ କରିପାରିବ ସୁଅ ମୁଁହରେ କୁଟାଖିଅ ?
ଭସା ବାଦଳ ପରି ମାଳମାଳ ଇଚ୍ଛା
ଚଞ୍ଚଳ ଚପଳା ପରି ତରଙ୍ଗାୟିତ ସଦିଚ୍ଛା
ସବୁ କୁହାହେବା ବୁହାହେବା ଆଗରୁ ଯଦି
ମୂଷଳ ଧାରା ପରି ବରଷି ଯାଏ
କିସ କରିପାରିବ ଅନ୍ତଃସଲିଳା ଶୁଭେଚ୍ଛା ?
ଏକାପାଖିଆ ଭଲ ପାଇବାର ଇସ୍ତାହାର
ପ୍ରେମ ସୁଧାନିଧି ପାଇବା ପାଇଁ ଘୁମେ ମରୁ କାନ୍ତାର
ସବୁ ବୋଧଗମ୍ୟ ହେବା ଆଗରୁ ଯଦି
ସମର୍ପିତ ସତ୍ତା ପରି ଆଉ କାହାର ହୁଏ
କିସ କରିପାରିବ ବିଫଳ ପ୍ରେମୀକ ପ୍ରବର ?
ଶବ୍ଦର ସହରେ ଭାବର ଅନେକ ଅଭାବ
ଆଚରଣ ଉଚ୍ଚାରଣେ ଅନେକ ଅମେଳ ପ୍ରଭାବ
ସବୁ ବିକଶିତ ହେବା ଆଗରୁ ଯଦି
ଅଭିଧାନଗତ ଶଦ୍ଦର ଅର୍ଥ ଅନର୍ଥ ହୁଏ
କିସ କରିପାରିବ ଅବାଦ୍ଧ ଅବୋଲକରାର ସ୍ଵର୍ଣ୍ଣାଭ ବିଭବ ?
ମଣିଷ ବସ୍ତିରେ ତୋଳିଛେ ଛୋଟ କୂଟୀର
ସମସ୍ୟା ଘେରରେ ବଞ୍ଚିଛେ ଯୁଝି ନିତି ସମର
ସବୁ ସମସ୍ୟାର ସମାଧାନ ହେବା ଆଗରୁ ଯଦି
ଆତ୍ମସମ୍ମାନରେ ଛୁରିକା ଆଘାତ ହୁଏ
କିସ କରିପାରିବ ଇତଃସ୍ତତ ଭାବନା ରୁଧିର ।
