ପାଗେଳୀ ବୁଢ଼ୀ
ପାଗେଳୀ ବୁଢ଼ୀ
ମାସେ ଅବା ପୁଣି ଦିମାସରେ କେବେ
ପାଗେଳୀ ବୁଢ଼ୀ ଟି ଆସି
ଭକତ ମାନଙ୍କୁ ଭିକ ମାଗିଥାଏ
ମନ୍ଦିର ଦୁଆରେ ବସି ।
ପାଗେଳୀ ଭଳି ସେ ଦେଖାଯାଏ ସିନା
ଲାଗେନାହିଁ ଭିକାରୁଣୀ
ବାକି ଦିନ ସିଏ କୁଆଡେ ବା ଯାଏ
ପାରନ୍ତିନି କେହି ଜାଣି ।
ମନ୍ଦିର ନନାତ ପଚାରିଲେ ଦିନେ
"ମାଉସୀ ଲୋ କହ ମୋତେ
ଭିକାରୁଣୀ ପରି ଦେଖାଯାଉ ନାହୁଁ
ଭିକମାଗୁ କିଆଁ ସତେ ?"
ନନା କଥା ଶୁଣି କହିଲା ପାଗେଳୀ
ଛଳଛଳ କରି ଆଖି
"ଅଯାଗା ଘାଆକୁ ଦେଖାଇ ପାରୁନି
ନିଜେବି ପାରୁନି ଦେଖି ।
ଝିଅ ହୋଇଗଲା ପରର ସମ୍ପତି
ପଡୁପଡୁ ହାତଗଣ୍ଠି
ପୁଅ ଦୁଇଟା ମୋ ସାତପର ହେଲେ
ପାହୁପାହୁ ମଧୁରାତି ।
ଭଲ ରୋଜଗାର ଭଲରେ ଚଳନ୍ତି
ମତେ ବା ପଚାରେ କିଏ
ବୁଢା ଗଲାପରେ ଦୁଃଖ ବଳିଗଲା
ହନ୍ତସନ୍ତ ଯାହା ହୁଏ ।
ଖିଆପିଆ ପାଇଁ ପୁଅ ଦୁଇ ଜଣ
ଦିନ ନେଇଗଲେ ବାଣ୍ଟି
ଇଏ ଅଧା ମାସ ସିଏ ଅଧା ମାସ
କଥା ମୋର ବୁଝିଥାନ୍ତି ।
ଏକ୍ତ୍ରିଶ ଦିନିଆ ଯେଉଁ ମାସ ପଡେ
ସେ ମାସର ଶେଷ ଦିନ
କେହି ଦିଅନ୍ତିନି ପାଣି ଟୋପା ମୋତେ
ହୁଏ ଯାହା ହୀନିମାନ ।
ସେଥିପାଇଁ ମୁଁତ ସେହି ଦିନ ଆସି
ଦେଉଳରେ ମାଗେ ଭିକ
ଭିକ ନମାଗିଲେ କେମିତି ସହିବି
କୁହ ମୋ ପେଟର ଭୋକ ।"
ବୁଢ଼ୀ କଥା ଯିଏ ଶୁଣୁଥିଲେ ବସି
ସବୁରି ଆଖିରେ ଲୁହ
ଅନ୍ତ ଫାଡି ମାଆ ଜନ୍ମ ଦେଲା ହେଲେ
କେହି ବୁଝନ୍ତିନି କୋହ ।
