ଅବଶିଷ୍ଟ ଲୁହ
ଅବଶିଷ୍ଟ ଲୁହ


କାହିଁକି ମୁଁ ବିରୋଧ୍ କରିବି ତୋ ବିରୋଧ୍ କୁ
ମୁଁ ଜାଣେ, ତୋ ବିରୋଧ୍ ବି ଜଗି ରହିଛି
ମୋ ଫେରିବା ବାଟକୁ...................
ଏ ଜନ୍ମରେ ବିରୋଧ କରି ତୁ ସାଇତି ରଖିଲୁ
ପୁଣି ଭେଟ ହେବା ପାଇଁ ଆମ ଦୁହିଙ୍କର
ଆର ଜନ୍ମକୁ....................।
ହଁ..... ମୁଁ ନ ଫେରିଲେ ନାଇଁ
ହେଲେ ତୁ ଭୁଲି ଯିବୁନି, ତୋ ସାଥେ କେବେକାର୍
ହେଇଥିଲା ପ୍ରୀତି .................
ଆପାତତଃ ମାନସ'ର ଶେଷ ପୃଷ୍ଠାକୁ ଯାଇ,
ପାରିବୁ ଯଦି ଆଙ୍କି ଦେବୁ ତୋ ବଦନାମ ପ୍ରେମିକର
ସେ ଅସୁନ୍ଦର ଛବି..................।
କୋକେଇରେ ମୋତେ ଯେବେ, ନେବେଟି ଉଠେଇ
ଆଉ ଡାକୁ ଥିବେ ମୋର୍ ସାଇ ଭାଇ,
ରାମ ନାମ ସତ୍ୟ କହି................
ସଭିଙ୍କ ଅଲକ୍ଷରେ, ଥୋଇ ଦେବୁ ମୋ ମୁଣ୍ଡ ପାଖରେ
ହାତରୁ କାଢ଼ି, ମୋ ନାଆରେ ପିନ୍ଧି ଥିବା ଥିବା
ପାଣି କାଚ ଦୁଇ................।
ଚାହିଁବୁନି ମୋ ଆଡ଼କୁ କେବେ ଅଶ୍ରୁଳ ନୟନରେ
ଯେବେ କେହି ବିଞ୍ଚୁ ଥିବେ ମୋ କୋକେଇ ଉପରେ
କଉଡ଼ି ଖଇ.................।
ତୁ ଜାଣୁ, ତୋ ନୟନ ଯୁଗଳ ଦେଖି ମୁଁ ପାରିବିନି ସହି
କାହିଁକି ନା ଥରେ ମଲା ପରେ ପୁଣି ଆଉ ଥରେ
ମରେନା କେହି.................।
ଚାପି ରଖିବୁନି ଆଖିର ଲୁହକୁ, ବୁକୁରେ ତୋର୍
ବୋହିବାକୁ ଦେବୁ ତାକୁ, ଇଛା ତାର୍ ହେବ
ଯେମିତି ସେମିତି.................।
ମୋର୍ ଲୁହ କିଛି ମୋତେ ଫେରେଇ ତୁ ଦେବୁ
ସେ ଜାହ୍ନବୀରେ ପବିତ୍ର ହେବ ନିଶ୍ଚଳ ଶରୀର ମୋର
ଭରି ତୋ ପ୍ରୀତି..................।
ଗୋଧୂଳିରେ ଯେବେ ଆସିବୁ ତୁ, ମୋ ସମାଧି ପାଖକୁ
ଆଣିବୁନି କେବେ ସାଥିରେ ତୋର ମଲ୍ଲି, ଗୋଲାପ କି
ଜୁଇ- ଯାଇ................।
ପାରିବୁ ଯଦି ଆଣିବୁ ତୁ, ଆଞ୍ଜୁଳାଏ ଝରା ଶେଫାଳୀରୁ
ଯାହାକୁ ଦେଖି ମୁଁ ସମାଧି ଭିତରେ ଭାଗ୍ୟକୁ ଆଦରି,
ଯିବି ଶାନ୍ତିରେ ଶୋଇ............।
ଲେଖିବୁନି ସେ ସମାଧି କାନ୍ଥରେ ମୋ ଗୌରବର ଗାଥା
ଆଙ୍କି ଦେବୁ, ମୋ' ଜୁଇ ଅଙ୍ଗାରରେ ନା କୁ ଆମର,
ବିଯୁକ୍ତ ଚିହ୍ନ ଦେଇ..............।
ଆତ୍ମା ମୋର୍ ଯିବା ପରେ ରହିଯିବ ଖାଲି ସେଠି ତୋରି ନା
ତୋ ନା ସାଙ୍ଗେ ସମାଧି ମୋର ଅପେକ୍ଷାରେ ଥିବ,
ମାଟିରେ ମିଶିଯିବା ପାଇଁ.............।
ନିଶ୍ଚୟ ଆଣିଥିବୁ, ମୋ ପୁରୁଣା ଚିଠିରୁ ଫର୍ଦେ ଦିଫର୍ଦ
ଶୁଣାଇବୁ ପଢ଼ି ମୋତେ, ସମାଧି କାନ୍ଥରେ ଥିବା
ଫାଙ୍କକୁ ଦେଖି.............।
ଯଦି ମନେ ପଡ଼େ ତୋର୍ କିଛି, ପୁରୁଣା କଥା
ଝରାଇ ଦେବୁ ଅବଶିଷ୍ଟ ଲୁହ, ବୁକୁରେ ତୋର୍ ଥିବ ଯାହା
ମୋ'ପାଇଁ ବାକି........ ।।