STORYMIRROR

SARADA NAYAK

Romance Tragedy Classics

3  

SARADA NAYAK

Romance Tragedy Classics

ମୁଁ ନୁହେଁ ତୋ ପରି

ମୁଁ ନୁହେଁ ତୋ ପରି

1 min
162

ତୁ ପ୍ରଶ୍ନ ଟିଏ

ମୋ ପାଇଁ ଚିର ଅସମାହିତ 

ଉତ୍ତର ଟିଏ

ମୋ ପାଇଁ ସମ୍ପୂର୍ଣ୍ଣ ଅବୁଝା

ତଥାପି ତୁ,

ପ୍ରେମ ଟିଏ-

ମୋ ହୃଦୟ ନିବୁଜ୍ କୋଠରୀରେ

ଚିର ସବୁଜ ।


ତୁ ବାସ୍ତବ,

ହେଲେ ମୁଁ କଳ୍ପନାରେ ଉଡ଼ି ବୁଲୁଥିବା

ପ୍ରଜାପତି ଟିଏ

ତୁ ଜାଗ୍ରତ,

ମୁଁ ଛାଇ ତଳେ ଘୁମେଇ ପଡ଼ି

ସ୍ଵପ୍ନ ଦେଖୁ ଥିବା ପଥିକ ଟିଏ

ସେଇଥି ପାଇଁ ତ,

ତୁ ଗମ୍ଭୀର

ଆଉ ମୁଁ ଚପଳାମି ଛାଡ଼ି ନଥିବା,

କିଶୋର ଟିଏ ।


ହେଇ ପାରୁ ତୁ,

ଭବିଷ୍ୟତ ମଗ୍ନା 

ହେଲେ ମୁଁ କ୍ଷଣଗନ୍ଧା

ଗଙ୍ଗଶିଉଳି ଟିଏ

ହେଇ ପାରୁ ତୁ

କୋଣାର୍କର ନିଖୁଣ କାରିଗରୀ

ମୁଁ କିନ୍ତୁ ଚିଲିକାର ଉଥାଳ ତରଙ୍ଗ

ହଁ ମୁଁ ମାନୁଛି, ତୁ

କୁଶଳୀ ଶିଳ୍ପୀ ଟିଏ

ହେଲେ ମୁଁ କୁଟା କାଠିରେ ବସା ବୁଣୁଥିବା

ବାଇ ଚଢ଼େଇ ଟିଏ ।


ତୁ କାଳେ

ତୁ ଗାଙ୍ଗେୟ ସମତଳ ଭୂମି

ମୁଁ କିନ୍ତୁ ସେଇ ମାଟି ବନ୍ଧୁର ,

ଯିଏ କର୍ମଠ ପାହାଡ଼ି ଜୀବନର

ଏକମାତ୍ର ଭରସା

ହଁ ହେଇ ପାରୁ ତୁ,

ସୁଶୀତଳ ସ୍ଵର୍ଣ୍ଣମୟୀ ସୁବର୍ଣ୍ଣରେଖା

ମୁଁ କିନ୍ତୁ ପାହାଡ଼ି ଝରଣା

ହେଇ ପାରୁ ତୁ,

ଆଷାଢ଼ ଆକାଶରେ ଜୀବନ ପାଇଁ ସଞ୍ଜୀବନୀ

ହେଲେ ମୁଁ କିନ୍ତୁ

କଷ୍ଟେ ମଷ୍ଟେ ତୃଷ୍ଣା ମେଣ୍ଟେଉ ଥିବା

ନଈ ବାଲିରେ ଚୁଆ ଟିଏ ।


ହଁ ମୁଁ ସେଇ ପ୍ରଶ୍ନ ଟିଏ

ଯିଏ ତୋ ପାଇଁ ଚିର ଅସମାହିତ 

ସମୀକରଣ ଟିଏ

ତୋ ପାଇଁ ସମ୍ପୂର୍ଣ୍ଣ ଅବୁଝା

ଆଉ ପଥିକ ଟିଏ

ଯିଏ ଥକି ଯାଇ,

ତୋ ହୃଦୟ ପାନ୍ଥଶାଳାରେ 

ନିଦ୍ରା ଯାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance