ଉଠରେ ଓଡ଼ିଆ
ଉଠରେ ଓଡ଼ିଆ


ଉତ୍କଳ ପ୍ରଦେଶ ଜିଉଁଛି ଯେ ଆଜି
କେବଳ ପୂରୁବ ଗୌରବ ଗାଇ
ଉଠ ବୀର ଭାଙ୍ଗି ଆଳସ୍ୟ ପ୍ରାଚୀର
ଯିଏ ଯେଉଁଠି ଯାଇଛ ଶୋଇ ।
ମଧୁ,ବିଜୁପ୍ରାଣ ନୀତି ଗୁମୁରି କାନ୍ଦନ୍ତି
ଆପଣା ସ୍ମୃତିପୀଠ ତଳୁ ରହି
ଆଶା,ସ୍ବପ୍ନ ତାଙ୍କ ଧୂଳିସାତ ଆଜି
ହେଲେ ପାରନ୍ତିନି କିଛି କହି ।
ଆତ୍ମ ସ୍ୱାଭିମାନ ଭାଙ୍ଗିଯାଇ ଅଛି
କିଛି ଖୋସାମତିଆଙ୍କ ପାଇଁ
ଏକଜୁଟ୍ ହେଇ ଆଉଥରେ ଲଢ଼
ହେ-ବୀର କାହାକୁ ରହିଛ ଚାହିଁ ।
ଓଡ଼ିଆ ଜୀବନ ଓଡ଼ିଆର ପ୍ରାଣ
ନଈ-ଗାଁ, ବନ-ଚାଷ ଭୂଇଁ
ଯିଏ ସେସବୁକୁ ନେଇଛି ଛଡ଼େଇ
ତାକୁ ଶାନ୍ତିରେ ଦିଅନା ଶୋଇ ।
ବିକ୍ରିହୁଏ ଖଣି ବିକ୍ରି ହୁଏ ପାଣି
ବିକି ଯାଇଛି ଯେ ଭିଟାମାଟି,
ତଥାପି ଓଡ଼ିଆ ମୁହଁକୁ ଲୁଚେଇ
କାନ୍ଦେ ବିଦେଶରେ ଖଟିଖଟି ।
ନିଜ ଅଧିକାର ମାଗନା ମାଗନା
ଜମା କା'ଆଗେ ହାତ ପତେଇ
ଯେଉଁ
ହାତେ ଦିଅ ସେଇ ହାତେ ନିଅ
ନିଅ-ନିଅରେ ତା'କୁ ଛଡ଼େଇ ।
ଚାଷକର୍ମ,ଯା'କୂଳ ବୃତ୍ତି ଯେ ତୁମର
ତା'ଠାରେ ଦିଅରେ ମନ
ସୁଜଳା ସୁଫଳା ଏ ରାଇଜକୁ କର
ବିଶ୍ଵ ଗାଇବ ତୁମରି ଗୁଣ ।
ଛାଡ଼ କୁଜି ଦଳ,ଛାଡ଼ ନେତା କୋଳ
ଛାଡ଼ ଛାଡ଼ରେ ତୁ ଚାମ୍ଚାଗିରି
ସିଂହ ପୁତ୍ର ତୁମେ ଏ ଓଡ଼ିଶା ଭୁଇଁର
ଜମା ଯାଅନା କାହାକୁ ଡରି ।
କେତେ ଦିନ ଆଉ ସହିବ ଏମିତି
ଲେଖ ନିଜ ଭାଗ୍ୟ ନିଜ ହାତେ
ପଛେ ଥାଇ ତୁମ ଗୋଡ଼ ଯିଏ ଟାଣେ
ତା'ଠୁ ଦୂରେଇ ରୁହରେ ଯେତେ ।
ଖଣି,ଜଳ,କୂଳ ପୁଣି ଭୂମି ସମତଳ
ଆହୁରି ଜଙ୍ଗଲ ଦେଇଛି ବିହି
ପ୍ରାନ୍ତ,ପୂର୍ବରୁ ପଶ୍ଚିମ ଉତ୍ତରୁ ଦକ୍ଷିଣ
ଆହା କିସୁନ୍ଦର ଉତ୍କଳ ଭୂଇଁ ।
କର ଓଡ଼ିଶା ସୁରକ୍ଷା ଓଡ଼ିଆର ରକ୍ଷା
ନିଜ ପଞ୍ଝା ମଝ୍ବୁତ୍ କରି
ଦେଖେଇ ଦିଅରେ ଏ ସାରା ବିଶ୍ବକୁ
ନୁହେଁ ତୁମ ସାଥେ କିଏ ସରି ।