କେଜାଣି.......?
କେଜାଣି.......?


ଦିନ ଯାଇ ରାତିଯାକର ସଉଦା ପରେ,
ପାହାନ୍ତିର କେତେଟା ଅପରାଧ
ମନ ଚାହୁଁଥିବା--
କିଛି ଉତ୍ତେଜକ ଶବ୍ଦ,
ଭିଜା ନିଃଶ୍ୱାସ ଆଉ ମଣିଷ ସ୍ଵାଦ
କାହାର କେଜାଣି?
ଇଏ ସିଏ ନା ଆଉ କିଏ……………?
ଯନ୍ତ୍ରଣାରେ ଅବାଧ୍ୟ ମନ
ପ୍ରତାରକ ବିବେକ
କ୍ଳାନ୍ତ ମେରୁଦଣ୍ଡ,
ଅବାଞ୍ଛିତ ସତର୍କତା
ଆଉ ଅନ୍ଧାର ସମୁଦ୍ରରେ କୋଳାହଳ………..
ଏ ସମସ୍ତେ ଯେମିତି ଏକାଠି।
କେମିତି..............!!
କେଜାଣି?
ଓହୋ……………………….
ସୁଶୀଳତା…….ସୁଶୀଳତା……ସୁଶୀଳତା
କିଏ ଦବ!!!
କାହା ପାଖରେ ଅଛି ? ମେଞ୍ଚା ମେଞ୍ଚା…….
ଘୋର ଅଭାବ ଯାହାର।
ତଥାପି ମୂଲଚାଲ ତା ପାଇଁ………
ଖଟ, ପଲଙ୍କ,ଗାଡ଼ି, ଘୋଡ଼ା,
ନେଟ୍ କ୍ୟାସ୍ ବିନିମୟରେ.।
ଜାଣି ପରୁନ
ସେଇତିକ ଥିଲେ କାହିଁକି ମୁଁ....................
ତଥାପି ,
ସତରେ ଖୋଜୁଛ...........!!
କେଜାଣି?
ଅନ୍ଧାରକୁ ପୋଛି ଦେଲେ—
ଆହୁରି ଅନ୍ଧାର
ବରଂ ବୋଳି ହେଇଯିବେ,
କିଛି ନକ୍ଷତ୍ର।
ଥୋକେ ହାତ ଯୋଡ଼ି ,
ମନାସୁ ଥିବେ, ଲଞ୍ଜା ତାରା ଭାବି।
ହା.........ହା...........................
ନିହାତି ପାଗଳ ଗୁଡ଼ାକ
ଭାବନ୍ତି ନିଜକୁ ଭାଗ୍ୟବାନ ବୋଲି।
ମୁଁ ବି ସାମ୍ନା କରିଛି
ଛାତ ନଥିବା କେତେ ପରିତ୍ୟକ୍ତ ଘରେ
କିଟ୍ କିଟ୍ ଅନ୍ଧାରୀ ମୁଲକ
ବିରାଜିତ ମହ
ାଶୟଙ୍କ ଶରୀର ଫାଙ୍କରେ
ହଁ........ ମୁଁ ବି.............
ପ୍ରତିଥର ନିବେଦନ
ଆଉ ପ୍ରତିଥର ବିଫଳ।
ସେଇଥି ପାଇଁ ତ,
ବୁଝି ଯାଇଛି- ଲଞ୍ଜାତାରାକୁ
ସେ ବା କି ସ୍ଵପ୍ନ ପୁରା କରିବ
ଯିଏ ନିଜେ ପୋଡ଼ା ଭାଗ୍ୟ ନେଇ ଜନ୍ମ ହେଇଛି।
ହେଲେ ଅବଶୋଷ ନାହିଁ ବୋଧେ-
ନିଜ ପାଇଁ...........
କେଜାଣି!!
ଇସ୍……………….
କି ନିଖୁଣ ଅଭିନୟ
ଅତି ନିଜର ଲୋକଟେ ପରି
ବୋଧେ ନୂଆ……….
ସେଥି ପାଇଁ
ତୁଠ ପଥରକୁ ମୂର୍ତ୍ତି ହେବାର ସ୍ଵପ୍ନ ଦେଖଉଛି
ଜାଣିନି-କି-
ଜାଣିବା ଆବଶ୍ୟକ ମଧ୍ୟ ନାହିଁ।
ହେଲେ
ଚିହ୍ନି ଚିହ୍ନି ମୁଁ ବି ପୋଖତ ଅଭିନେତ୍ରୀ
ତେଣୁ
ଉଦାର ହୃଦୟରେ
ମଙ୍ଗଳ ମନାସି,
ହାତରୁ ଆଣି ଅଣ୍ଟିରେ ପୁରାଏ
ତୃପ୍ତ ହେବା କ୍ଷଣି।
ସାରି ଦିଏ ମୋ କର୍ତ୍ତବ୍ୟ
କିନ୍ତୁ,ସତରେ
ତାର କଣ ମଙ୍ଗଳ ହୁଏ............!!
କେଜାଣି?
ଆଉ କିଛି
ମୋ ଘରେ ନୁହଁ ଅଗଣାକୁ ଆସିଥିଲେ
ମୁଣ୍ଡରେ ଲୁଗା ପକେଇ
ନେଇ ଯାଉ ଥିଲେ ସାଉଁଟି
ହଁ ମୁଁ ଦେଖିଛି
ହେଲେ, ଚିହ୍ନି ପାରିଲିନି।
ଛି….. ଛି……..କହି ଚାଲିଗଲେ
ଆଶ୍ଵସ୍ତି ହେଲି
ପରିଚୟ ନ ପାଇ।
ହେଲେ,
କିଏ ଦେଲା ତାଙ୍କୁ ଏ ଠିକଣା…….!!
କିଏ କଲା ମୋ ବର୍ଣ୍ଣନା?
ଆଗ ପଛ ତଳ ଉପର.........
ସବୁ ଠିକ୍ ଠିକ୍ ତ
କେଜାଣି?