ବିକଳ ଜୀବନ
ବିକଳ ଜୀବନ


ଜୁଡ଼ୁସୁଡ଼ୁ ଓଦା ହେଇ ସ୍ବପ୍ନ ସବୁ
ସ୍ମୃତି ବାଆ ବର୍ଷାଧାରେ, ତିନ୍ତୁଥିବା ବେଳେ
ଶାଳୁଆ ପବନର ଶୀତଳ ଛୁଆଁ,
ଉଭେଇ ଦିଅନ୍ତି କୁହୁଡ଼ିଆ ପାହାନ୍ତି କୋଳେ ।
ଉଷୁମ ପରସ ଖୋଜୁ ଥିବା ଓଠ
କା'ଦାନ୍ତ ଦଂଶନେ ଆଜି ହେଇଛି କ୍ଷତାକ୍ତ,
ଲୋହିତ ବର୍ଣ୍ଣ ଆଚ୍ଛାଦିତ କରିଛି
ସେ ନରମ ମାଂସକୁ, କରି ନିଜଠୁ ବିଭକ୍ତ ।
ତୃଷାର୍ତ୍ତ ମନଟାବି ଡହଳ ବିକଳ
ମୁନ୍ଦାଏ ଅତୃପ୍ତ କାମନାର ବାରି ଆଶାରେ
ଖିନବିନ୍ ହୃଦୟଟାବି ଚିତ୍କାରୁଛି
ନୀରବରେ କେଉଁ ଏକ ଅଜଣା ଭୟରେ ।
ଅଙ୍କୁରିତ ଆଶା ସବୁ ମରୁଡ଼ି ଆଁରେ
ସେ ବା କି'ପ୍ରଶ୍ନ କରିପାରିବ ଶୁଷ୍କ ବାଦଲକୁ
ଏମିତିରେତ ଅନେକ୍ ଝାଞ୍ଜି ପରିଚିତ,
ତେଣୁ କାହିଁବା ଦୋଷିବ ସେ ନିଜର ଭାଗ୍ୟକୁ ।
ସାମ୍ନାରେ ଦେଖି ବିଶାଳ ମରୁଭୂଖଣ୍ଡକୁ
ଧାଉଁଥିବା ଯୌବନବି ଥିରିଥିରି ପାଦ ପକାଏ
ସୁନ୍ଦର ଦେଖା ଯାଉଥିବା ସିନ୍ଦୂର ବି,
ଚିହ୍ନା ଲୋକଙ୍କ ଭିଡ଼ ଭିତରେ ଫିକା ପଡ଼ିଯାଏ ।
<
/p>
ଅପରିଚ ଦୃଷ୍ଟିରେ ସମସ୍ତେ ପରିଚିତ
ଖାଲି କାରଣ ଖୋଜା ଯା ଭାବ ବିନିମୟ ପାଇଁ
ଆଖି ପଲକରେ ସମ୍ପର୍କ ଯୋଡ଼ିଯାଏ,
ପୁଣି ଭାଙ୍ଗିଯାଏ କେତେ କିଛି କାରଣ ନଥାଇ ।
ପିମ୍ପୁଡ଼ିଧାରେ ଚଲା ମଣିଷ ନିରୁପାୟ
ଝୁଣି ଖାଇଯିବାର ଭୟରେ ସତେ ଆତଙ୍କିତ
ଖୁଦ ସାଉଁଟି ଖାଇବାର ଆଶା ନେଇ
ନିଜ ନାର୍ଯ୍ୟ ଅଧିକାରରୁ ବି ହେଇଛି ବଞ୍ଚିତ ।
ବିବସ୍ତ୍ରା କାନ୍ଦେ ଲଜ୍ୟା ନିବାରଣ ପାଇଁ
ପୁଣି ବସ୍ତ୍ରହୀନ ହେବା ପାଇଁ କରୁଛି ବି ମନ
ମୋହ ଭାଙ୍ଗି ଗଲେ ସେ ଶିଥିଳ ତନକୁ
ନପୁଛିବେ କେହିକେବେ ଦେଇ ନିଜର ବସନ ।
ମେଘାନନ୍ଦୀ ଭାଳୁନାହିଁ ଜଳଧରକୁ
ଖୋଜେ କା ଅଶ୍ରୁ ଜଳେ ସେ କରିବ ସ୍ନାହାନ
ବିଭାବରି ବି ମୁକ୍ତ ଆକାଶକୁ ଛାଡ଼ି
ମଧୁଶାଳାରେ ଦମ୍ଭେ କରୁଛି ଆତ୍ମ ଗୋପନ ।
ଦ୍ରୁମ ଯେବେ ଆଶ୍ରେ ମୃଦୁବଲ୍ଲୀକୁ
ସିଏ ବି ବାଟଭାଙ୍ଗି ଚାଲିଯାଏ ଅନ୍ୟର ଛାଇକୁ
ସଖୀଗୋ ନଯା ନଯା ଅଭିମାନ କରି
ଏ ଶୁଷ୍କ ମୃତ ଦାରୁବି, ଆଶ୍ରା ଦିଆଇବ ତୁମ୍ଭକୁ ।