ମହାଭାରତ‐ ଦ୍ରୌପଦୀ ବସ୍ତ୍ର ହରଣ
ମହାଭାରତ‐ ଦ୍ରୌପଦୀ ବସ୍ତ୍ର ହରଣ
ଦୁର୍ଯ୍ଯୋଧନ ବୀର ଦୁଃଶାସନେ ଦେଲେ
କଠୋର ଆଦେଶ ଗୋଟି,
ଯାଅ ଦୁଃଶାସନ ଟାଣି ଆଣ ଯାଇ
ଦ୍ରୌପଦୀର ଧରି ଚୁଟି |୧|
ନୀରବେ ରହନ୍ତି ପଞ୍ଚପାଣ୍ଡବ ଯେ
ସତ୍ଯରେ ବନ୍ଧନ ଯେବେ,
ଅନ୍ଧ ଧୃତରାଷ୍ଟ୍ର ପୁତ୍ର ମୋହ ପାଇଁ ଜାଣି ନ ଜାଣିଲା ପ୍ରାୟେ |୨|
ରାଜସଭା ଆଉ ରାଜସଭା ନୁହେଁ
ଦୁର୍ଯୋଧନ ପାପସଭା,
ମହାବଳି ଭୀଷ୍ମ ଗୁରୁ ଦ୍ରୋଣାଚାର୍ଯ୍ୟ
କୃପାଚାର୍ଯ୍ଯ ତହିଁ ଉଭା |୩|
ପାଣ୍ଡବ ବଂଶର ମଣି କୁଳବଧୂ
ରାଜସଭା ଟଣାହେବେ,
କୁରୁବଂଶ ରାଜେ କଳଙ୍କ ଲାଗିବ
କେହି ନ ବୁଝନ୍ତି ତେବେ |୪|
ଦୁଃଶାସନ ଯାଇ ପ୍ରବେଶ ହୋଇଲେ
ମହାରାଣୀ ଅନ୍ତପୁରେ,
ଆଗମନ କଥା କୃଷ୍ଣା ବୁଝିନେଲେ
ଦୁଃଶାସନ ହସ୍ତ ଧରେ |୫|
ହସ୍ତ ଆକର୍ଷିଲା ବଳକୁ ଲଗାଇ
ବହୁ କଟୁକଥା କହି,
ରାଜସଭାଟାକୁ ତହୁଁ ଟାଣି ନେଲା
ଦୁଃଶାସନ ମହାପାପି |୬|
ଶକ୍ତି ଥାଇ ମଧ୍ୟ ସମସ୍ତେ ନୀରବ
ଦୁର୍ଯୋଧନ ବାଣୀ ପାଇଁ,
ଚକ୍ଷୁରୁ ଲୋତକ ବହି ପଡ଼ୁଥାଏ
ମହାରାଣୀ ଲଜ୍ଜା ପାଇଁ |୭|
ପାପି ଦୁର୍ଯ୍ଯୋଧନ ଆଦେଶ ଦିଅନ୍ତି
ଆରେ ଆରେ ଦୁଃଶାସନ,
ରାଜସଭାଟାରେ ଉଲଗ୍ନ କରରେ
ଦ୍ରୌପଦୀକୁ ବିବସନ |୮|
ଏମନ୍ତ ଆଦେଶ ଶୁଣି ସେ ଦ୍ରୌପଦୀ
ସ୍ମରିଥିଲେ ପଞ୍ଚପତି,
ସ୍ମରିଲେ ପୁଣି ସେ କୁରୁ ମହାରାଜ
ରାଜ ପରିଷଦ କତି |୯|
ଦୁଷ୍ଟ ଦୁଃଶାସନ ବସନ ଟାଣିଲା
କରିବାକୁ ବିବସନ,
ନାରୀ ଅମର୍ଯ୍ଯାଦା ବର୍ଣ୍ଣନା କରିବା
ନୀରବ କଲମ ମୁନ |୧୦|
ଦ୍ରୌପଦୀ ଭଜିଲେ ଶ୍ରୀକୃଷ୍ଣ ପୟରେ
ଛାଡ଼ି ସବୁ ଦେହ ଲାଜ,
ରଖ ଆହେ କୃଷ୍ଣ କୃଷ୍ଣାକୁ ତୁମ୍ଭର
ମରିଯାଏ ପଦବ୍ରଜ |୧୧|
ପାଣ୍ଡବଙ୍କ ସଖା ଶ୍ରୀକୃଷ୍ଣ ତୁରନ୍ତ
ଆଶୀର୍ବାଦ ଢାଳିଦେଲେ ,
ଆଙ୍ଗୁଠି କଟିବା କାନି କପଡ଼ାକୁ
କୋଟି ବସ୍ତ୍ର ତାକୁ ଦେଲେ |୧୨|
ଦୁଷ୍ଟ ଦୁଃଶାସନ ଯେତେ ଟାଣିଲେ ବି
ବସ୍ତ୍ର ଆଉ ନ ସରିଲା,
ଯୋଡ଼ ହାତ ହୋଇ ଦ୍ରୋପଦୀ ଭଜନ୍ତି
ଲଜ୍ଜା ନିବାରଣ ହେଲା |୧୩|
ଦେଖି ଆଚମ୍ବିତ କୁରୁ ରାଜସଭା
ଦୁର୍ଯ୍ଯୋଧନ ଦୂରାଚାରୀ,
ପାଣ୍ଡବ ଘରଣୀ ସଖି ତେଜସ୍ବିନୀ
ଲଜ୍ଜା ନିବାରଣ କରି |୧୪|
ଜୟ ହେ ଶ୍ରୀକୃଷ୍ଣ ଜୟ ଗିରିଧାର
ଜୟ ଜୟ ହେ ମୁରାରୀ,
ତୁମ୍ଭ କୃପା ବଳେ ଦୁଃଖରୁ ମୁକତି
ଜୟ ମୁକୁନ୍ଦ ବିହାରୀ |୧୫|
