ଗରିବର ଜୀବନ
ଗରିବର ଜୀବନ
ବୁଡ଼ିଗଲା ଗୋଡ଼ ତଳକୁ ତଳକୁ ଦୁଃଖ ଆସେ ସାଥୀ ଧରି,
ଗରିବ ଜୀବନ ନୁହେଁ ହୀନିମାନ ବଞ୍ଚେ ସମାଜକୁ ଡରି ।
ଗରିବ ବୋହୂଟି ସବୁରି ଟାପରା ଗରିବ ବୁଢ଼ୀ ଡାହାଣୀ,
ଗରିବଙ୍କୁ ନେଇ ଧନୀ ଲୋକମାନେ ଗଢନ୍ତି କେତେ କାହାଣୀ ।
ଗରିବର ରକ୍ତ ଶସ୍ତା ସମାଜରେ କିଣି ନିଏ ନିତି ଧନୀ,
ଗରିବର ଝାଳ ବର୍ଷା ଜଳପରି ଢାଳିଦିଏ ଜାଣିଜାଣି ।
ଗରିବର ଦୁଃଖ ଶୁଣେନାହିଁ କେହି ଗରିବର ନାହିଁ ଦଳ,
ଗରିବ କ୍ରୋଧରେ ଭାଙ୍ଗି ଯାଇପାରେ ସମାଜର ଅର୍ଥବଳ ।
ଗରିବ ଝିଅଟି ବାଉଁଶ ରାଣୀ ସେ ଆକାଶରେ ଘୂରୁଥାଏ,
ଗରିବ ବାଳକ ବୁଦ୍ଧିଆ ଧାବକ ସାଲିବ୍ରିଟ ହେଇଯାଏ ।
ଗରିବର ନାହିଁ ଜାତି ଧର୍ମ ବର୍ଣ୍ଣ ବୁଝେନାହିଁ ସଂପ୍ରଦାୟ,
ପେଟ ଚାଖଣ୍ଡେକ ପୂରିଗଲେ ଶାନ୍ତି ନାହିଁ ଜୟ-ପରାଜୟ ।
ଗରିବ ଶ୍ରମରେ ଦେଶ ଗଢ଼ାହୁଏ ଗରିବର ତ୍ୟାଗ ବେଶି,
ଗରିବ ଧନରେ ଧନୀ ବଡ଼ହୁଏ ଗରିବ ଏ' ଦେଶ ଚାଷୀ ।
ଗରିବ ଜାଣେନା ରୋଗର ଯନ୍ତ୍ରଣା ନାହିଁ ତା'ର ରକ୍ତଚାପ,
ଗରିବର ମନ ସବୁବେଳେ ଖୋଲା ଡରନାହିଁ ଶୀତ-ତାପ ।
ଗରିବ ମଣିଷ ପରି ଖୋଲା ହସ ହସି ପାରିବିନି ଧନୀ,
ଅଳପେ ସନ୍ତୋଷ ନିଜଘରେ ରଜା ଘରଣୀ ତା' ପାଟରାଣୀ ।
ଗରିବ ହେଲେ ବି ବାଇମୁଣ୍ଡି ପାଇଁ କଟକରେ ବନ୍ଧ ହେଲା,
ଗରିବ ବୁଢୀଟି ଟଙ୍କାଟିଏ ଦେଇ ଗାନ୍ଧିମନ କିଣିନେଲା ।
ଗରିବ ସୁଦାମା ଦୁଃଖ ଦୂର ହେଲା ଥିଲେ କୃଷ୍ଣ ତାଙ୍କବନ୍ଧୁ,
ଗରିବକୁ ସଦା ଈଶ୍ବର ସାହାଯ୍ୟ ତାଙ୍କୁ ଯିଏ ଯେତେ ନିନ୍ଦୁ ।
