ଆକସ୍ମିକ ପ୍ରଶ୍ନବାଣ
ଆକସ୍ମିକ ପ୍ରଶ୍ନବାଣ
କବିତା - ଆକସ୍ମିକ ପ୍ରଶ୍ନବାଣ
ରଚନା - ପଞ୍ଚାନନ ଜେନା
ତାରିଖ -୧୦-୧୧-୨୦୨୫
+++++++++++++++++
ବସଷ୍ଟାଣ୍ଡ କଡ଼ରେ
ରେଳଷ୍ଟେସନ ଆଗ ଗଳିରେ
ମିଳିଯିବେ ଅଧାଲଙ୍ଗଳା ପିଲାମାନେ ଦଳେ
ଅସନା ଦେହରେ ହାତ ପତେଇ ମାଗୁଥିବେ ବିକଳେ
ଦେଖିଲେ ଲାଗୁଥିବେ
ମା' ଛେଉଣ୍ଡ ବୋଧେ
କୋରଡ଼ ଗତ ଆଖି ଦେଖି
ପଞ୍ଜରା ହାଡ଼ ଦିଶୁଥିବାର ପରଖି
ମାନି ନେବାକୁ ପଡିବ
ପେଟ ପୂରା ଖାଦ୍ୟର ଅଭାବ ବୋଧେ
ଦେହ ହାତ ସବୁ ଦୁର୍ବଳ ଶିରାଳ
କ୍ଷୀର ଫଳ ପ୍ରୋଟିନ ମିଳିନି ବୋଲି
ଅପପୁଷ୍ଟିର ଶିକାରଗ୍ରସ୍ତ ଛୋଟ ମୋଟ କଂକାଳ
ସ୍କୁଲର ଦ୍ଵାରବନ୍ଧ ପହଁଚିନାହାନ୍ତି ବୋଧେ
ଦୁଇ ବୁନ୍ଦା ପୋଲିଓ ଜିଭରେ ବାଜି ନାହିଁ ବୋଧେ
ଯେତେ ଭିତରକୁ ବିଶ୍ଳେଷଣ
ଦୟା କରୁଣା ଭାବ ଝରିଯିବ ଅସରନ୍ତି ପ୍ରସ୍ରବଣ
ମୋର ଅନୁରୋଧ କେବଳ ଧାଡିଏ ମାତ୍ର
କେବେ ପଚାରିବେନି
ସେହି ଦୀନ ହୀନ
ଅକିଞ୍ଚନ ମାନଙ୍କୁ ଏକତ୍ର
ବଡ଼ ହେଲେ କ'ଣ ହେବ କିସ କରିବ ?
ଇତ୍ୟାଦି ଇତ୍ୟାଦି ପ୍ରଶ୍ନ ଗୁଡ଼ାକ ମଇତ୍ର
ପାଞ୍ଚ ଦଶ ଟଙ୍କା ଦେଇ ବରଂ ପିଛା ଛାଡିବ
ପରେପଛେ ପସ୍ତେଇବ ଅଧିକା ବିନ୍ଧିଲେ ମା'ରାଣ
ଦୟା ଭାବନା ମନରେ ଆଣିବା ଅଲଗା
ସତସତିକା ଦୟା ଦେଖେଇବା ଭିତରେ
ଆକାଶ ପାତାଳ ଫରକ ଦିଶୁଥାଏ ଜଳକା
ଯଦି ପ୍ରତ୍ୟୁତ୍ତରରେ ସେହି ଅନାମଧେୟ ତୁଣ୍ଡରୁ
ଯଦି ପିଲାଲିଆ ଢ଼ଙ୍ଗରେ କିଛି ପଚାରିଦେବେ ମୁଣ୍ଡରୁ
ଦାସେ ଆପଣେ ବଡ଼ ହେଇ ଦେଶ ପାଇଁ କ'ଣ କରିଛ ?
ଆପଣ ଆମ ପରି ଅନାଥ ମାନଙ୍କ ପାଇଁ କ'ଣ ତ୍ୟାଗିଛ ?
ତୀର ଭଳି ପଶିଯିବ ପଞ୍ଜରା ଫଟେଇ
ଲହୁ ଲୁହାଣ କରିଦେବ ଆକସ୍ମିକ ପ୍ରଶ୍ନବାଣ
ଶବ୍ଦ ବ୍ୟୁତ୍ପତ୍ତି ମିଳିବନି ଉତ୍ତର ଦେବାକୁ
ପାଖ ପୋଖରୀରେ ବୁଡି ମରିବାକୁ ଜନ୍ତୁରାଣ
