ଯଶୋଧାରା ମାଗେ ନ୍ୟାୟ
ଯଶୋଧାରା ମାଗେ ନ୍ୟାୟ
ନିରବରେ ଯଶୋଧାରା ଅନ୍ତଃସ୍ୱର
ପ୍ରଶ୍ନ କରେ ବାରମ୍ବାର ,
ଛାତି ତଳୁ ଉଠିଥିଲା ଘୂର୍ଣ୍ଣିଝଡ଼
ଏହି କଣ ମୋକ୍ଷ ଦ୍ଵାର ??।।
କୁହ ହେ ଗୌତମ ! ଚାଲିଗଲ ତୁମେ
ହସ୍ତେ ଭିକ୍ଷା ଥାଳ ଧରି ,
ଛାଡ଼ିଗଲ ପଛେ ବୃଦ୍ଧ ପିତା ମାତା
ପତ୍ନୀ , ପୁତ୍ର ପର କରି ।।
ବିଦଗ୍ଧ ଯୌବନ ବିଳପେ ହୃଦୟେ
ବିରହ ବେଦନା ଭରି ,
ଅଶ୍ରୁକୁ ନିଗାଡି ବଞ୍ଚିଥିଲେ ଯାହା
ହୃଦୟକୁ ଭାଗ କରି ।।
ନାରୀ ହୃଦ ତଳ ପ୍ରୀତିର କାମନା
ତୁମେ କି ଗୌତମ ଜାଣ ?,
ତୁମ ଜୀବନର ଅବବାହିକାରେ
ଗୋପା ବା ' ପାଇଲା କଣ ??।।
ତୁମେ ଚାଲିଗଲ ନିର୍ବାଣ ପଥରେ
ସଂସାର ବୈରାଗୀ ସାଜି ,
ଏହି କଣ ଥିଲା ବୈବାହିକ ମନ୍ତ୍ର
ତୁମ ଯିବା ପଥ ହେଜି ।।
ତୁମେ କି ଜାଣିବ ନାରୀ ହୃଦ ତଳ
ଗୋପନ ମନର କଥା ,
କର୍ତ୍ତବ୍ୟରେ ବନ୍ଧା ଅବଳା ନାରୀର
ଯନ୍ତ୍ରଣା ମନର ବ୍ୟଥା ।।
ଭଗବାନ ସିନା ସାଜିଥିଲ ତୁମେ
ସିଦ୍ଧାର୍ଥରୁ ବୁଦ୍ଧ ସାଜି ,
କି ଉତ୍ତର ଦେବ କୁହ ହେ ଗୌତମ
ଅବଳା ଗୋପାକୁ ଆଜି ।।
କେଉଁ ପୁତ୍ର ଧର୍ମ ସ୍ମରଣ କରିଲ
ବୃଦ୍ଧ ପିତା ମାତାଙ୍କର ?
କେଉଁ ପିତା ଧର୍ମ ପାଳନ କରିଲ
କଅଁଳ ଶିଶୁ ପୁତ୍ରର ??
କି 'ଉତ୍ତର ଦେବ ଅବୁଝା ଶିଶୁକୁ
କିଏ ଅବା ପିତା ତାର ?,
କି' ଲାଭ ପାଇଲା ଗୋପା ଓ ରାହୁଳ
ପ୍ରଶ୍ନ କରେ ବାରମ୍ବାର ।।
କି ' ଉତ୍ତର ଦେବ ସାରା ସଂସାରକୁ
ମାନବିକତାର ସ୍ୱର ,
ବୃଦ୍ଧ କାଳେ ଛାଡ଼ି ଯାଏ ଯେଉଁ ପୁତ୍ର
ଦେଇ ଶତ ଲୁହ ଧାର ।।
କୁହ ହେ ! ସିଦ୍ଧାର୍ଥ ଧର୍ମ ସାକ୍ଷୀ ରଖି
ଏହାକି ନିର୍ବାଣ ପଥ ?,
ଯଶୋଧାରା ଲୁହ ଶହେ ପ୍ରଶ୍ନ କରେ
ଏହି କଣ ମୋକ୍ଷ ପଥ ??।।
ବିରହ ବେଦନା ବାତ୍ସଲ୍ୟ ମମତା
ଚିରଦିନ ଅସ୍ତମିତ ,
ଦୁଃଖର ବିନାଶ ମହାମନ୍ତ୍ର ତୁମ
ମାର୍ମିକ କେତେ କୁହତ ??।।
ଭିକ୍ଷା ଥାଳ ଧରି ଚାଲିଗଲ ତୁମେ
ଟାଣି ଲକ୍ଷ୍ମଣର ଗାର ,
ଯଶୋଧାରା ମାଗେ ଶତଧା ପ୍ରଶ୍ନର
ଗୌତମ ଦିଅ ଉତ୍ତର ।।
ଶୁଣ ହେ ସନ୍ୟାସୀ ଯେଉଁ ଧର୍ମ ପାଇଁ
ସଦା ହାହାକାରମୟ ,
ଧର୍ମର ଦୁଆରେ ଯୁଗ ଯୁଗ ପାଇଁ
ଯଶୋଧାରା ମାଗେ ନ୍ୟାୟ ।।
