STORYMIRROR

Chinmaya Kumar Nayak

Romance

4  

Chinmaya Kumar Nayak

Romance

ମଲାଣି କେବେଠୁ ରାଧା

ମଲାଣି କେବେଠୁ ରାଧା

1 min
238

ଛାଡି ଆସିଛି ମୁଁ ଜୀବନ ଜଞ୍ଜାଳ

କେବଳ ତୁମରି ପାଇଁ

ରୁଦ୍ଧ ସବୁ ଫେରିବାର ପଥ ଆଜି

ତୁମେ କିନ୍ତୁ ଦିଶ ନାହିଁ

(ଆଉ) ଲୋଭ ନାହିଁ ପ୍ରାଣ ପାଇଁ

ସାଜି ପାରିବିନି ରାଧା ଏତେ କାଳ

କଳଙ୍କକୁ ବୋହି ବୋହି। 


ରୁନ୍ଧି ହେଲାଣି ମୋ ହୃଦୟ କୋଠରୀ

ସ୍ମୃତିର ଭିଡ଼ ଭିତରେ

ବିରହର ଅଶ୍ରୁ ଧାର ଶୁଖେ ନାହିଁ

ତୁମେ ଗଲା ପରେ ପରେ। 

କୁହୁଡ଼ିର ଧାରେ ଧାରେ

ପହଁରି ପହଁରି ଖୋଜୁଛି କିନାରା

ମୋ ଭିତର ତୋଫାନରେ। 


କାମନାର କେଶ ଉନ୍ମୁକ୍ତ ମୋ ଆଜି

ନିରାଶାର ଆକାଶରେ

ତୁମ ସନ୍ତକକୁ ସାଇତି ରଖିଛି

କେଜାଣି କି ଆସକ୍ତିରେ

(ତୁମ) ଦ୍ୱାରିକାଧିଶ ନିଶାରେ

ତୁମକୁ ଉତ୍ତାରି ମୋ ଦିନଲିପିରେ

ଜଳୁଛି ପ୍ରେମ ବହ୍ନିରେ। 


ପ୍ରସାଧନ ଆଜି ସାଧନା ଅନଳେ

ଜଳି ଜଳି ହୁଏ ପାଂଶ

ଉଦାସୀ ଆଖିରେ ତୁମକୁ ମୁଁ ଝୁରି

ଭୁଲି ଗଲିଣି କି ହସ। 

(ମୁଁ ) ସମାଜ ଆଖିରେ ବିଷ

ସେଥିପାଇଁ ସବୁ ଭୁଲି ତୁମ ପାଇଁ

କାଟୁଛି ଅଜ୍ଞାତ ବାସ। 


ନିରିମାଖି ଧାରାଟିଏ କହି କହି

ସାଜି ଦେଇ ଗଲ ରାଧା

ବହି ଯିବାକୁ ମୋ ପଥ ଆଜି ରୁଦ୍ଧ

ନିୟତିରେ ଲେଖି ବାଧା। 

(ମୋ) ପ୍ରେମ କିନ୍ତୁ ନୁହେଁ ଅଧା

ମୁଁ ଆଜି ଜିଉଁଛି କୃଷ୍ଣଟିଏ ହୋଇ

ମଲାଣି କେବେଠୁ ରାଧା। 



Rate this content
Log in

Similar oriya poem from Romance