ଶୈଶବର ସ୍ମୃତି
ଶୈଶବର ସ୍ମୃତି
ଅଣଲେଉଟା ସେ ମଧୁର ସ୍ମୃତି
ହୃଦୟେ ସାଇତା ଅଭୁଲା ଗୀତି
ସୁଖମୟ ସେହି ଆନନ୍ଦ ବେଳ
ସାଙ୍ଗସାଥୀ ମେଳେ ଚାଲଇ ଖେଳ ।
ଆମ୍ବତୋଟା ବିଲ ଗାଁର ନଈ
ଅନୁକୂଳ ସ୍ରୋତେ ଯାଏରେ ବହି
ଶୀତ ପ୍ରଭାତର ଉଷୁମ ଖରା
ପୁଷ୍କରିଣୀ ଜଳେ ଗଡ଼ିଶ ଧରା ।
ଖଳାଦାଣ୍ଡେ ବସି ପଢ଼ଇ ପୋଥି
ଠାକୁମାଆ କୋଳେ ବିତଇ ରାତି
ଶ୍ରେଣୀକକ୍ଷ ଆହା ଦିଶଇ ପୂର୍ଣ୍ଣ
ସହପାଠୀ ସାଥେ ଶିଖଇ ବର୍ଣ୍ଣ ।
ଗୁରୁଙ୍କର ସେହି ଆକଟ ବାଣୀ
ମାର୍ଗଦର୍ଶକ ଯେ ସାଜଇ ପୁଣି
ଯାନିଯାତ୍ରା ସାଥେ ପୁନେଇଁ ପର୍ବ
ଆମ ଗାଉଁଲିଙ୍କ ସାଜଇ ଗର୍ବ ।
ଯାଇଛି ବଦଳି ଅତୀତ ଦିନ
ଅଭୁଲା ସ୍ମୃତିକୁ ଝୁରୁଛି ମନ
ଯାନ୍ତ୍ରିକ ସଭ୍ୟତା ନେଇଛି ମୋହି
ବାଲ୍ୟଚପଳତା ଜୀବନେ ନାହିଁ ।
ଆଧୁନିକତାର ବଶ୍ୟରେ ନର
ପଲ୍ଲୀପ୍ରାଣତାରେ ନ ତୋଳେ ଘର
ଗ୍ରାମ୍ୟପ୍ରୀତି ସତେ ସାଜିଛି ମୃତ
ନିଷ୍ପାପ ମନଟି ହୋଇଛି ଧ୍ରୁତ ।