ସାହିତ୍ୟର ଅର୍ଥ ବୁଝିବା
ସାହିତ୍ୟର ଅର୍ଥ ବୁଝିବା
ସମାଜର ହିତ କରଇ ସାହିତ୍ୟ
ରହି ମାନବର ପାଖେ
ଅତି ଆପଣାର ସିଏ ସକଳର
ସୁଖେ ହେଉ ଅବା ଦୁଃଖେ
ଚିତ୍ତ କରି ନିର୍ମଳ
ବୁଝାଇ ଦିଏ ସେ ପ୍ରେମର ପରଶେ
ଯୋଗାଇ ଅଶେଷ ବଳ
ବାନ୍ଧିବାକୁ ସମଜରେ ଥଳ ।
ସାହିତ୍ୟ ଭିତରେ ବିଭିନ୍ନ ରୂପରେ
ଦିଶେ ଚିତ୍ର ସମାଜର
ଦର୍ପଣ ସଦୃଶ ହୋଇ ସଦା ଦୃଶ୍ୟ
ବିଚାର ଭଲମନ୍ଦର
ଚାଲେ ଅନବରତ
ଯେମିତି ସେ ଏକ ନ୍ୟାୟର ପ୍ରତୀକ
ଖୋଜିପାରେ ସବୁ ସତ
ସଦା ଲକ୍ଷପଥ ତା' ମହତ ।
ଯେତେ କୁସଂସ୍କାର କରିଦେଇ ଦୂର
ଗଢ଼ଇ ସୁସ୍ଥ ସମାଜ
ଶାନ୍ତି ସଦ୍ଭାବନା ନୂତନ ଚେତନା
ଜାଗ୍ରତେ ବଢ଼ଇ ତେଜ
ବାନ୍ଧି ଏକତା ଡୋରେ
ଜିତଇ ହୃଦୟ ସତେ ସୂର୍ଯ୍ୟୋଦୟ
ହୁଏ ସକଳ ଅନ୍ତରେ
ଯାହା ଚଉଦିଗକୁ ପ୍ରସରେ ।
ଧର୍ମ ନ୍ୟାୟଶାସ୍ତ୍ର ରାଜନୀତି ଶସ୍ତ୍ର
କଳା ବିଜ୍ଞାନ ଦର୍ଶନ
ଅର୍ଥନୀତି ଜ୍ଞାନ ଆଧ୍ୟାତ୍ମିକ ଜ୍ଞାନ
ହୁଅଇ ପ୍ରତିଫଳନ
ତାକୁ ନିତି ପରଖି
ବନ୍ଧୁଟିଏ ପରି ଅନ୍ତରଙ୍ଗ କରି
ଭାବକୁ ହୃଦୟେ ମାଖି
ନର ପାରଇ ଯତନେ ରଖି ।
ଭାବର ଆଦାନପ୍ରଦାନରେ ମନ
ରହଇ ଚଳଚଞ୍ଚଳ
ଅସୁମାରି ଖୁସି ଅନ୍ତରରେ ଲେସି
ଛୁଟାଇ ପ୍ରୀତି କଲ୍ଲୋଳ
ପରସ୍ପର ମଧ୍ୟରେ
ସମ୍ପର୍କର ସେତୁ ମଜଭୂତ ହେତୁ
କାଳଯାପନ ସୁଖରେ
ନିଜ ଭାଷାକୁ ବୋଳି ମୁଖରେ ।
ସାହିତ୍ୟର ସୃଷ୍ଟି କରେ ଯିଏ ତିଷ୍ଠି
ରହଇ ଯୁଗକୁଯୁଗ
ଯେତେ ସାହିତ୍ୟିକ ସାଧନେ ସାଧକ
ସବୁଥିରେ ଅଗ୍ରଭାଗ
କବିର ସୃଷ୍ଟି ପାଇଁ
ଦ୍ବିତୀୟ ଈଶ୍ବର ବୋଲନ୍ତି ସକଳ
ହୃଦୟେ ହରଷ ବହି
ବିନା ସାହିତ୍ୟେରେ ସ୍ଥିତି କାହିଁ ?
