STORYMIRROR

Bharati Lenka

Inspirational

3  

Bharati Lenka

Inspirational

ବାପୁ

ବାପୁ

1 min
146


ସତ୍ୟ ବୀର ତୁମେ ସତ୍ୟର ପୂଜାରୀ

ମୁକ୍ତି ମଶାଲ ଧରି

ଅହିଂସା ଅସ୍ତ୍ରରେ ଛେଦ କଲ ପୁଣି

ହିଂସାର ତରବାରୀ।

ରାମ ରାଜ୍ୟର ସ୍ୱପ୍ନ ଦେଖି ପୁଣି

ସ୍ୱପ୍ନ କରିବାକୁ ସତ

 ପାଦେ ଚାଲି ଚାଲି ସବୁରି ପରାଣେ

 ସତ୍ୟ କରାଇ ଜାଗ୍ରତ।

କରିବାନି ହିଂସା ଧରିବାନି ଅସ୍ତ୍ର

 ସତ୍ୟର ଧ୍ୱଜା ଉଡ଼ାଇ

ଆମ ଦେଶ ଆମେ କରିବା ସ୍ୱାଧୀନ

 କରି ଅହିଂସା ଲଢ଼େଇ।

 ଶେଷରେ ବିଦେଶୀ ହେଲେ ପରାଜିତ

 ସତ୍ୟର ହେଲା ଜୟ

ହେ ପ୍ରିୟ ବାପୁଜୀ ସୁଯୋଗ୍ୟ ସନ୍ତାନ

 ଜୟ ଭାରତ ଜୟ।

ଡାକୁଛୁ ଆରତେ ଆଉଥରେ ଆସି

ଦେଖିଯାଅ ପ୍ରିୟ ପିତା

ଛାର ଖାର ଆଜି ତୁମ ରାମରାଜ୍ୟ

ରକ୍ଷା ପାଉନି ଜନତା।

ଗୋଟିଏ ଲାଠିକୁ ହାତରେ ଧରି

 ଆଣିଥିଲ ସ୍ୱାଧୀନତା

ଆଜି ଦେଖ ପ୍ରତି ହସ୍ତରେ ରହିଛି

ଟାଣୁଆ ଖଡ଼ଗ କତା।

ଧର୍ଷଣ ଲୁଣ୍ଠନ ପାପାଚାର ଆଜି

ଯାଉଅଛି ବଢ଼ି ବଢ଼ି

ଆଉ ଥରେ ଆସି ସୁନାର ଭାରତ

ନିଜ ହାତେ ଦିଅ ଗଢ଼ି।

 ଗରିବ କାନ୍ଦୁଛି ଭୋକ ବିକଳରେ

 ନେତାଏ ଫୁଲାନ୍ତି ପେଟ

ଘର ଘର ବୁଲି ଚାଟୁ କଥା କହି

ମାଗି ବୁଲୁଛନ୍ତି ଭୋଟ।

ବୃଦ୍ଧାଶ୍ରମ ସଂଖ୍ୟା ଯାଏ ବଢ଼ି ବଢ଼ି

ଜନନୀ ମାଗୁଛି ଭିକ

 ଭିଟା ମାଟି ଛାଡି ସନ୍ତାନ ପୁଣି

ବିଦେଶେ ଦେଖାଏ ଥାଟ।

ଓଡ଼ିଆଣୀ ବୋହୁ ଓଡ଼ିଆ କହୁନି

ଖାଣ୍ଟି ଇଂଲିଶ କୁହେ

ପିଲା ଡାକନ୍ତିନି ବାପା ବୋଉ ବୋଲି

 କହିଲେଣି ହାଏ ବାଏ।

ଧର୍ମ କାନ୍ଦେ ଆଜି ଗୁମୁରି ଗୁମୁରି

ଅଧର୍ମର ଉଡେ ଧ୍ୱଜା

ମିଛ କହି ଲାଞ୍ଚ ନିଅନ୍ତି ସଭିଏଁ

କାନ୍ଦୁଛି ଭାରତ ମାତା।

ଆସ ଆସ ବାପୁ ମାଆର ଆଖିରୁ

ଲୁହ ପୋଛି ଦେବା ପାଇଁ

ତୁମ ପରି ପୁଅ ଖୋଜେ ଏହି ଜାତି

ମଥା ଯାଉଅଛି ନଇଁ।

କୋଟି ପ୍ରମାଣ ନିଅହେ ବାପୁଜୀ

ଭାରତୀ କରଇ ଅଳି

କର ଆଶୀର୍ବାଦ ଦୁର୍ନୀତି ରାକ୍ଷସ

ପାଦେ ହୋଇଯାଉ ଦଳି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational