ବୈକୁଣ୍ଠ ସମାନ
ବୈକୁଣ୍ଠ ସମାନ
ସଂସାର ଦେଖିଛୁ ସର୍ବେ ବିଭୁଙ୍କ ଆଶିଷେ
ପିତା ମାତା ପ୍ରଭୁ ମୋର ପ୍ରକାଶେ ବିଶ୍ୱାସେ ll
ହାତ ଧରି ମୋତେ ମାତା ଚଲାଇଛି ପଥ
ଅଭାବ ଜାଣିନି ମୁହିଁ ମୁଣ୍ଡେ ପିତା ହାତ ll
ଭାଇ ଭଉଣୀର ସ୍ନେହ ଜଗତେ ବିରଳ
ବନ୍ଧୁ ବାନ୍ଧବର ପ୍ରୀତି ସ୍ମୃତି କାଳ କାଳ ll
ସୁନ୍ଦର ଜୀବନ ଏହି ମାତ୍ର ଦୁଇଦିନ
ବୃଥା ଗର୍ବ କରୁ ମନେ ମୂଲ୍ୟ ଅକାରଣ ll
ବୈକୁଣ୍ଠ ସମାନ ଆହା ଅଟେ ସେହି ଘର
ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ll
ତ୍ୟାଗ ସମର୍ପଣ ଗୁଣ ସଂସାରେ ମହାନ
ନିଜ ଘର ସ୍ୱର୍ଗ ପୁର କରିବା ଗ୍ରହଣ ll
ଭକ୍ତି ଜପ ତପ ପୂଜା ନୁହେଁ ପ୍ରୟୋଜନ
ଥିଲେ ସ୍ନେହ ପ୍ରେମ ଶ୍ରଦ୍ଧା ସରସ ଜୀବନ ll
ସ୍ୱାର୍ଥ ଦ୍ବେଷ ହିଂସା ରାଗ ଅବା ଅଭିମାନ
ସମ୍ପର୍କ କରଇ ନଷ୍ଟ ଦିଅଇ କଷଣ ll
ଗୁରୁଜନେ ଭକ୍ତି କର ଲଘୁଜନେ ପ୍ରୀତି
ଗଢି ତୋଳ ପରିବାର ରଖି ଅନୁରକ୍ତି ll
ଦୁଃଖ ସୁଖେ କଷ୍ଟ ଶୋକେ ସହଭାଗୀ ହୋଇ
ଜୀବନକୁ ସାର ଏଠି ଏକତାକୁ ଗାଇ ll