ସହିଦ୍ ଙ୍କ ଚିଠି
ସହିଦ୍ ଙ୍କ ଚିଠି


ମାଆ,
ମୋ ରକ୍ତ ଜୁଡୁ ବୁଡୁ ଚେହେରା
ଆଖି ଆଗରେ ନାଚି ଯାଉଛି
ମୋ ତ୍ରିରଙ୍ଗା ର ଛବି
ମୁଁ ଡରିନି କି ହାରିନି ମାଆ
ମୋ ପିଠି ପଛରୁ
କରା ଯାଇଛି ହାମଲା
ପାଟିରେ ଜୟହୀନ୍ଦ୍ -
ମୁହଁରେ ବଳିଦାନର ଆତ୍ମତୃପ୍ତି ।
ହେଲେ ମାଆ -
ହୃଦୟର କେଉଁ ଏକ ଅନ୍ଧାରି କୋଣରେ
ଛୋଟ ଇଚ୍ଛାଟିଏ
ମୁଣ୍ଡ ଟେକଛି
ତୋ ପଣତ କାନି
ଖୁବ୍ ମନେ ପଡୁଛି
ଆଉ ଇଚ୍ଛା ହେଉଛି-
ଥରୁଟିଏ ତୁ ତୋ ପଣତରେ
ମୋ ଲହୁକୁ ପୋଛି ଦିଅନ୍ତୁ କି !
ବାପା-
ତୁମେ କହିଥିଲ
ବାପା ତୁମେ କହିଥିଲ
ଏଥର ବିରାମ ନେଇ ଯା
ହେଲେ, ବାପା
ଏ ସିପାହୀ ମନଟା
ମଞ୍ଜୁରୀ ଦେଇ ନ ଥିଲା ।
କିନ୍ତୁ ବାପା-
ଏ ରକ୍ତ ଜୁଡ଼ୁବୁଡ଼ୁ ଚେହେରାରେ
କେବଳ
ତୁମ ହାତ ଟିକେ
ମୋ ମୁଣ୍ଡରେ ଚାହୁଁଥିଲି ।
ଖୁସୀରେ ଖୁସୀରେ ଯାଉଥିଲି
ହେଲେ-
ହୃଦୟର କେଉଁ ଏକ ନିବୃତ୍ତ କୋଣରେ
ତୁମ ପାଦ ସ୍ପର୍ଶ କରିବାକୁ ଚାହୁଁଥିଲି ।
ତୁମ ମନେ ଅଛି ନା
ମୁଁ କହିଥିଲି ନା,
ସହିଦ୍ ହୋଇଯିବି ପଛେ
ମଇଦାନ ଛାଡ଼ି ଆସି ପାରିବିନି ।
ତୁମେ କାହିଁକି ଦୁଃଖ କରିବ ବାପା
ତୁମେ ଖାଲି ମୋ ପାଇଁ
ଗର୍ବ କରିବ ।
ପ୍ରିୟା,
ପ୍ରିୟା ମୋର
ମୋ ଶରୀରର ରକ୍ତ ପ୍ରବାହ
ତୁମ ମଥାରୁ
ଧୋଇଦେଲା ସୋହାଗ ସିନ୍ଦୁର
ମୋର ବନ୍ଧୁକ ଫୁଟିବା ପୂର୍ବରୁ
ଆଉ କାହା ଗୁଳିରେ
ଚୁର୍ ମାର୍ ହୋଇଗଲା
ତୁମ ହାତର ଚୁଡ଼ି -
ହେଲେ,
ତୁମେ ତ ଜାଣିଥିଲ
ଏମିତି ବି ହୋଇପାରେ ବୋଲି
ତୁମ ପ୍ରେରଣାରେ
ମୁଁ ତ ଥିଲି ସିକ୍ତ ।
ମୁଁ ଜାଣିଛି_
ତୁମେ ଅଟ ବୀର ପତ୍ନୀ
ତୁମେ ହାରିବନି -
ହେଲେ, ଜାଣିଛ
ଭାରତ ମାଟିରେ
ରକ୍ତ ଜୁଡ଼ୁ ବୁଡୁ ଶରୀର ମୋର
କାହିଁକି କେଜାଣି
ତୁମର ଏକ ସ୍ପର୍ଶ ଖୋଜୁଥିଲା ।
ତୁମ କୋଳରେ
ମୋ ପରୀର ମୁହଁଟା
ଦାଉ ଦାଉ ଦେଖା ଯାଉଥିଲା।
ହୃଦୟ ର କୋଣେ ଅନୁକୋଣେ
ତାକୁ କୋଳେଇ ନେବାର
କୁନି କୁନି ଇଚ୍ଛାମାନେ
ଅକୁହା ବେଦନାରେ
ପୋତି ପକାଉ ଥିଲେ
ହେଲେ ?
ହଁ,
ଭାରତ ମାତାର ଝଣ୍ଡାରେ
ମୁଁ ବିଭୂଷିତ ହେବି
କଫନରେ ମୋତେ ସସମ୍ମାନେ ଘରକୁ ନିଆଯିବ
ମୁଁ ଗର୍ବିତ -
ହେଲେ,
ମୋ ତ୍ରିରଙ୍ଗା ତଳେ ଥାଇ ମଧ୍ୟ
ତୁମମାନଙ୍କର
ଶେଷ ସ୍ପର୍ଶ ଚାହୁଁଥିବି_
ଆଉ ଶୁଣୁଥିବି -
ମୋତେ ନେଇ ଗର୍ବ କରିବାର କଥା ।
ସମସ୍ତେ କହୁଥିବ
ମୋତେ ନେଇ ଗର୍ବର କଥାକୁ
ହେଲେ
ମୋ ପରୀର ଅବୁଝା ଆଖି
ଅବୁଝା ଭାଷା ରେ ମୁଁ
ମର୍ମାହତ ହେଉଥିବି ।
ଶୁଣିବାକୁ ଚାହୁଁଥିବି
"ମୋ ବାପାଙ୍କ ପାଇଁ ମୁଁ
ଗର୍ବିତ" ବୋଲି ।
ହେଲେ......!
ଶେଷରେ
ଏତିକି କହିବି -
ମୋ ତ୍ରିରଙ୍ଗା ତଳେ
ମୋ ପରୀକୁ ଟିକେ ଦେଇଦେବ
ତାକୁ ଟିକେ ଛୁଇଁ ଦେଇ
ତୃପ୍ତ ହୋଇଯିବି -
ହଁ ମୁଁ ତୃପ୍ତ ହୋଇଯିବି।