ଶବ୍ଦଭେଦୀ
ଶବ୍ଦଭେଦୀ
କବିତା - ଶବ୍ଦଭେଦୀ
ରଚନା - ପଞ୍ଚାନନ ଜେନା
ତାରିଖ - ୧୮-୦୮-୨୦୨୫.
++++++++++++++++
ଗହଳି ଭିତରେ କିଛି ଲୋକ
ଦେଖୁ ଦେଖୁ ତୁମ ନୀରବ ଚନ୍ଦ୍ର ବଦନ
ତୁମ ଚୁପ୍ ଚାପ୍ ଗୁମ୍ ସୁମ୍ ଆନତ ଆନନ
ମୁଁହ ଫେରେଇ ବୁଲେଇ ନିଅନ୍ତି
ମୁଁହକୁ ତତଲା ଧାନହାଣ୍ଡି କରନ୍ତି
ମନକୁ ମନକୁ ଚୁଗୁଲି କୁହନ୍ତି
ବାପ୍ ରେ ବାପ୍
କି ଗର୍ବ କି ଗୁମାନ
କି ଅହଙ୍କାର କି ଚୁପ୍ ସଇତାନ
ସେହି କତିପୟମାନଙ୍କୁ ଦେଖିବ ନିରେଖି
ମୁରୁକି ହସିଦେବ ଦେଖି ଦେଖି
ଫୋପାଡ଼ି ଦେବ ଅଳପ ସଳପ ଖୁସି ପରଖି
ଅଳ୍ପ କେତୋଟି ଦାନ୍ତ ବି ଦିଶୁଥିବ ଲାଖି ଲାଖି
ଦେଖିବାର ଅଛି ଅଭିନୟ
ଧୌଯ୍ୟର ବାଲିବନ୍ଧ
ହୁଗୁଳି କୁହୁଳି ଯିବ ନିମିଷକେ ପ୍ରଳୟ
ବାଣ କ୍ଷେପଣ ବାଜିଛି ଠିକଣା ଯାଗାରେ
ଜାଣିଯିବ ପାଲଟା ଜବାଦରୁ ନିଶ୍ଚୟ
କାରଣ ଧୌଯ୍ୟର ଗଭୀର ଖାଇ
ମାପିବାକୁ ପଡ଼େ ହଜୁର !
ହୋ ହଲ୍ଲାରେ ନୁହଁ
ଶାନ୍ତିରେ ନୀରବ ନିରୋଳା ପ୍ରହର
ଯେମିତି ଫୁରସତରେ ମାପେ ନୀର
ବିଶାଳ ହ୍ରଦର ଗଭୀରତମ ଗହ୍ଵର
ସବୁ ପ୍ରଶ୍ନର ଉତ୍ତର ଅଛି .
କିଛି ଶବ୍ଦରେ ଶବ୍ଦମୟ
କିଛି ସମୟ ହାତରେ ଅଥୟ
କିଛି ନୀରବତାର ମୁଗ୍ଧଗୁଣରେ ଅଭୟ
କିଛି ସତ୍ୟର ତରାଜୁରେ ହଲି ଦୋହଲି ବାଙ୍ଗ୍ମୟ
ସେହି ଉତ୍ତର ଇତିହାସ ପୃଷ୍ଠାରେ
କାଳକାଳକୁ ଚିର ଭାସ୍କର
ଯାହା
ସତ୍ୟ ଶିବ ସୁନ୍ଦର ଅର୍ଥ କରେ ପ୍ରଚାର
ନୀରବ ନୀଥର ନମ୍ର କମ୍ର ଅଗ୍ର ଢ଼ଙ୍ଗରେ
ଚୂନା କରିପାରେ ନଭଶ୍ଚୁମ୍ବୀ ଦର୍ପ ମୀନାର
ବେଳେ ବେଳେ ଶବ୍ଦଭେଦି ନୀରବ ଚାହାଁଣୀ
ବିନା ଗଣ୍ଡଗୋଳ ଆତସବାଜି ବ୍ୟୟରେ
ବିନା ଅସଂସଦୀୟ ବାକ୍ୟଖର୍ଚ୍ଚରେ
ଚେକ୍ ଚେକ୍ କରି କାଟି ପକାଏ
ଆଇଁଷ ବାରରେ ଆମ୍ବଗଛ ଛାଇରେ
କାଳିଆ ମାଂସ ଦୋକାନୀ ପରି ଦିଏ ହାଣି
ଅଭେଦ୍ୟ ଅହଙ୍କାରୀ ଦୁର୍ଗ ବି ଖଣ୍ଡ ବିଖଣ୍ଡ
ଖସି ପଡୁଥାଏ ତଳେ ଗଡୁଥାଏ ଗଣି
କେବଳ
ଅଜଣା ରହିଥାଏ
ଅଶୁଣା ରହିଯାଏ
ଗହ ଗହ ପାଖ ଦେଖଣାହାରୀଙ୍କୁ
ଗହଳି ଗରାଖ ମଣି ବଣି ଚାରଣି ଆଠଣି
କେବଳ ସେଇ ଦୁଇ ଜଣଙ୍କୁ ଛାଡିଦେଲେ
ସମସ୍ତେ ବ୍ୟସ୍ତ ରୁହନ୍ତି ନିଜ ଦୁନିଆରେ
ଅହରହ ଅସ୍ତବ୍ୟସ୍ତ ବଜାର ବିପଣି
