ବିଦାୟୀ ଲଗ୍ନରେ ନୂଆବର୍ଷ
ବିଦାୟୀ ଲଗ୍ନରେ ନୂଆବର୍ଷ
କବିତା - ବିଦାୟୀ ଲଗ୍ନରେ ନୂଆବର୍ଷ
ରଚନା - ପଞ୍ଚାନନ ଜେନା
ତାରିଖ -୧୮-୧୨-୨୦୨୫
+++++++++++++++++++
ଅନାଦି କାଳରୁ
ଡିସେମ୍ବର ବର୍ଷର ଶେଷମାସ
ସଭ୍ୟତା ପ୍ରାରମ୍ଭରୁ
ଜାନୁୟାରୀ ନୂଆବର୍ଷର ଆଦ୍ୟମାସ
ଦୁହିଙ୍କ ମଧ୍ୟରେ ତୁଳନା ତର୍ଜମା କଲେ
ଅନେକ ତଥ୍ୟ ଆଖି ଆଗରେ ଖସଖସ
ଯେହ୍ନେ ବିଦାୟୀ ଲଗ୍ନରେ ଶଙ୍ଖ ହୁଳୁହୁଳି ପ୍ରୟାସ
ବାରମାସରେ ତେର ପର୍ବର ପାଳନ ଅଭ୍ୟାସ
ପାଣି ପବନରେ ଭାସେ ବୁଣେ ସୁବର୍ଣ୍ଣ ଆଭାସ
ରକ୍ତ କଣିକାରେ ଆତ୍ମା ସରଣୀରେ ଗହଗହ ପ୍ରୟାସ
ଜଣେ ପୁରୁଣା ସ୍କୃତି ଫଳକ ଧରି ତର୍ଜନି ନିର୍ଦ୍ଦେଶ
ଆନ ଜଣେ ନୂଆ ପଣ ପ୍ରତିଜ୍ଞା କରିବାର ନିର୍ଦ୍ଧୁମ ବଦଭ୍ୟାସ
ସୁଖର କଥା ହେଲା କି
ଦୁହେଁ ବର୍ଷର ସନ୍ତାନ ସନ୍ତତି
ସମାନ ତାରିଖରେ ଆସନ୍ତି
ଲୀଳାଖେଳା କରନ୍ତି
ସମୟ ଦେଲେ ଇଶାରା
ହାତ ଟେକି ଦେଇ ବିଦାୟ ମାଗନ୍ତି
ସମାନ ତାରିଖରେ ମେଲାଣି ନିଅନ୍ତି
ଜଣେ ପୌଷ ଶୀତ କାକରରେ
ଝୁଟିର ଚିତ୍ରଲିପିରେ ଅବର୍ଣ୍ଣନୀୟ ମୃଦୁରାସ
ଆନ ଜଣେ ମାଉଁସ ପଲଉରେ
ପିକନିକର ମଜା ମଉଜ ଫଉଜ ଦୀନଲିପିରେ ହୀରକବର୍ଣ୍ଣା ଅଟ୍ଟହାସ୍ୟ
ଜଣେ ବିଦାୟୀ ସମ୍ବତ୍ସରର କରୁଣ ରାଗିଣୀ ଉଚ୍ଛ୍ଵାସ
ଆନ ଜଣେ ନବବର୍ଷର ଆବାହନୀ ସିତ୍କାରରେ ବେଶ୍ ରଙ୍ଗବାସ
ଦୁଃଖର କଥା ହେଲା କି
ଦୁହେଁ କ୍ଯାଲେଣ୍ଡର ବନ୍ଧନୀରେ ନଛୋଡ଼ବନ୍ଧ
ଦୁହେଁ ଋତୁଚକ୍ର ଆବର୍ତ୍ତରେ ସାବର୍ତ୍ତରେ ମଧୁଛନ୍ଦା
ଜଣେ ବିଦାୟୀ ବର୍ଷର ଅଲିଭା ଶେଷ ପଦଚିହ୍ନର ଆଭାସ କ୍ୟାନଭାସ
ଆନ ଜଣେ ଆଗାମୀ ବର୍ଷର ଶୁଭାରମ୍ଭ ବେଳାର ପୂଜାଫୁଲ ସୁବାସ
ଜଣେ ବିଶ୍ୱାସର ବତିଘର ପରି
ଜାଜ୍ଜଲ୍ୟମାନ କିର୍ତ୍ତିରାସ ଅତୀତ ଇତିହାସ
ଆନ ଜଣେ ନୂତନ ଆଶା ଆକାଂକ୍ଷାର
ନବୀନ ସମ୍ଭାବନା ସମାବେଶର
ହସକୌତୁକ ଭରା ପ୍ରୀତିଛନ୍ଦା ଉନ୍ମେଷ
ଡିସେମ୍ବର ଆସିଛି ଯିବ ସାରି ତାର ମାସିକିଆ ଆୟୁଷ
ମାତ୍ର ଯାଉ ଯାଉ ରଚି ଦେଇ ଯିବ ଅନନ୍ତ ଅସରନ୍ତି ଶକ୍ତିର ନବ ସନ୍ଦେଶ
ବାଳାରୁଣର ଚପଳ ଛଳରେ
ଦୁର୍ବାଦଳର ତୁହିନ ରେଣୁରେ
ମାଟି ମଣିଷର ଧାନ ଖଳାରେ
ବଡ଼ ଦିନର ପର୍ବ ସମ୍ଭାରରେ
ବନ୍ଦନ ଚନ୍ଦନ ଅଭିନନ୍ଦନ କରିବାକୁ
ତର୍ପଣ ଅର୍ପଣ ସମର୍ପଣ କରିବାକୁ
ନୂଆ ଆଗନ୍ତୁକ ଜାନୁୟାରୀ ପାଇଁ
ଉତ୍ସବ ମୁଖର ସୁଖଦ ପରିବେଶ
ପଢୁଆଁ ବଡ଼ ଝିଅ ପରେ ପରେ
ଯେମିତି ଜନ୍ମ ହେଲେ କୂଳ ନନ୍ଦନ
ଘରେ ଖେଳିଯାଏ ଅବିସ୍ମରଣୀୟ ଚାପା ଗୁଞ୍ଜରଣ
ମିଠାପାନ ଖିଆ ନାଲିଆମ୍ବ ପରି ନାରଙ୍ଗୀ ପରସ ।
