ପାଷାଣୀ ନୀରବତା
ପାଷାଣୀ ନୀରବତା
କବିତା - ପାଷାଣୀ ନୀରବତା
ରଚନା - ପଞ୍ଚାନନ ଜେନା
ତାରିଖ -୧୫-୧୨-୨୦୨୫
++++++++++++++++++++
ଘରେ ପୁରେ ବିରାଜେ ପାଷାଣୀ ନୀରବତା
ବ୍ୟସ୍ତତା ଭିତରେ ବି ଟାଣୁଥାଏ ବାସ୍ତବତା
ତେଲ ଲୁଣର ଆବଶ୍ୟକତା ଭିତରେ ବି ସ୍ଥାଣୁତା
ମୋତେ କେବେ କରାଏ ବ୍ୟାକୁଳ ଭାବୁକମନ୍ୟତା
ଘରେ ପୁରେ ବିରାଜେ ପାଷାଣୀ ନୀରବତା--୧
ଯେମିତି ସମସ୍ୟା ବେଳେ ଆସେ ଲମ୍ବା ଦୀର୍ଘଶ୍ଵାସ
ଯେମିତି ଜଞ୍ଜାଳ ବେଳେ ଆସେ ବହଳ ଅନୁପ୍ରାସ
କେମିତି ସରଳ ତରଳ ସାବଲୀଳ ଢ଼ଙ୍ଗରେ
ତତଲା ଲୁହ ହୋଇ ଆଖି କୋଣ ଡେଇଁ
ଝରିଯାଏ ତଳକୁ ତଳକୁ ଭେଦି ବାଷ୍ପିୟତା
ଘରେ ପୁରେ ବିରାଜେ ପାଷାଣୀ ନୀରବତା --୨
ଯେବେ ଦୁଃଖ ସବୁ ଆଡିଆର ତତଲା ବାଲି ପରି
ଟକ ଟକ ଫୁଟୁ ଥାଏ
ଯେବେ ଶୋକ ସବୁ ବୈଶାଖ ନିଦାଘ ପରି
ଡହ ଡହ
ଲୁ-ଝାଞ୍ଜି ପେଲୁଥାଏ
ସେବେ ଝରା ଶେଫାଳୀର ଭରୁଭରୁ ସୁଗନ୍ଧ ନେଇ
ମନ ଚେତନାରେ ମଣି ମଣ୍ଡିତ କରୁଥାଏ ସକ୍ରିୟତା
ଘରେ ପୁରେ ବିରାଜେ ପାଷାଣୀ ନୀରବତା --୩
ଯେବେ ଅନିମନ୍ତ୍ରିତ ଆଗନ୍ତୁକ ପରି କଷ୍ଟମାନେ
ମୁଣ୍ଡ ଉପରେ ଚଢିଯାଆନ୍ତି
ଯେବେ ଯୋର ଜବରଦସ୍ତି ପିଡ଼ାମାନେ
ଶରୀର ଆତ୍ମାରେ ଆସ୍ଥାନ ଜମାନ୍ତି
ଶାରଦୀୟ ଜହ୍ନରାତି ପରି ପ୍ରଦାନ କରେ ଶୀତଳତା
ଘରେ ପୁରେ ବିରାଜେ ପାଷାଣୀ ନୀରବତା ---୪
ନିଷ୍ଠୁର ନୀରବତା ଚେଷ୍ଟାକରେ ଶାନ୍ତ କାନ୍ତ ସ୍ୱରେ ସମାଧାନ
ମୁଣ୍ଡ ଭିତରେ ଯୁଦ୍ଧ ଚଳାଏ ସମସ୍ୟାର ସମୂଳ ଉତ୍ପାଟନ
ବିଷାକ୍ତ ଗରଳ ହଳାହଳ ପିଇ ଚେଷ୍ଟା ଚଳାଏ ନୀଳକଣ୍ଠେଶ୍ଵର ସମାନ
ନୀରବରେ ତର୍କ ବିତର୍କରେ ଅସ୍ତ୍ର ପଜଉଥାଏ ହୋଇ ସନ୍ଦିହାନ ସରଳତା
ଘରେ ପୁରେ ବିରାଜେ ପାଷାଣୀ ନିରବତା --୫
