ଶୂନ୍ୟଆସ୍ଥାନ ଚେଇଁ
ଶୂନ୍ୟଆସ୍ଥାନ ଚେଇଁ
କବିତା - ଶୂନ୍ୟଆସ୍ଥାନ ଚେଇଁ
ରଚନା - ପଞ୍ଚାନନ ଜେନା
ତାରିଖ -୦୮-୧୨-୨୦୨୫
+++++++++++++++++++
ଦୁଃଖର ସବୁତକ ରୁଧିର ପିଇଗଲା ପରେ
ହୁଏତ ଆସିପାରେ ହସନ୍ତ ବସନ୍ତ
ଶୋକର ଅନନ୍ତ ପାହାଚସବୁ ଚଢିଗଲା ପରେ
ହୁଏତ ମୁରୁକିପାରେ ଘୁମନ୍ତ ହେମନ୍ତ
ବେଦନାର ବୈତରଣୀରେ ବୁଡ଼ ପକେଇଲା ପରେ
ହୁଏତ ଉଇଁପାରେ ଉଦଣ୍ଡ ମାର୍ତ୍ତଣ୍ଡ
ଚେତନାର ଜାଗରଣ ମନ୍ତ୍ରଉଚ୍ଚାରଣ ସରିଲା ପରେ
ହୁଏତ ଟଙ୍କାରି ପାରେ ଗାଣ୍ଡିବ କୋଦଣ୍ଡ
ବୈଶାଖ ଫେରିଗଲା ପରେ ବୈରାଗ୍ୟର ପଗୋଡି ଫିଟେଇ
ହୁଏତ ଫୁଲ ଫୁଟିପାରେ ବନେ ମନେ ମରୁଦ୍ୟାନେ
ମନ ମୟୁଖରେ ଅନୁଶୋଚନାର ଚନ୍ଦନ ବନ୍ଦନ ଲଗେଇ
ହୁଏତ ମଲ୍ଲୀଫୁଲିଆ ହସ ଉକୁଟି ପାରେ
ସରାଗେ ବିରାଗେ ପରାଗରେଣୁ ସଜେଇ
କେବେ ସରିବ ଏ ସବୁ ଲୁହ ଲହୁର ଉମଙ୍ଗ
କେବେ ନେସିଯିବ ଇନ୍ଦ୍ରଧନୁରେ ଆଠରଙ୍ଗ
କେବେ ପାପୁଲିରେ ଦିଶିଯିବ କାଳିଆ ଶ୍ରୀଅଙ୍ଗ
ବାସ୍ ! କେବଳ ସେହି କଳ୍ପିତ ମୂର୍ଚ୍ଛନା ପାଇଁ
ବାସ୍ ! ପାଉଁଶ ତଳର ନିଆଁ ରହିଛି ଚେଇଁ
ବାସ୍ ! ପ୍ରଜାପତି ଉଡିଗଲାପରେ ଫୁଲ ଫୁଟେ କିପାଇଁ
ବାସ୍ ! ଲହଡି ଗରଜି ଫେରେ କାହିଁ ବେଳାଭୂମୀ ଛୁଇଁ
ବାସ୍ ! ଆତ୍ମା ତଳର ଆତ୍ମ ଚିତ୍କାର କହୁଛି ଡେଇଁ
ମନ ମଲାଟରେ ତାରାଫୁଲର ଢେଉ
ମନ ସିଲଟରେ ଭାଗଶେଷର ଭାଉ
ମନ ଆକଟରେ ବିବେକବତ୍ତାର ଚିଟାଉ
ଅଦୃଶ୍ୟ ହାତର କାଉଁରୀ କାରିଗରୀ
ପରଶ ପାଇଁ ଧାଉଁଛି
ଧାଇଁ
ଧାଇଁ ଗିଡ଼ଗିଡ଼ ଧାଇଁ ଗିଡଗିଡ଼ ଭଜୁଛି ଚେଇଁ
ହାତ ଟେକିଦେଇଛି ଶୂନ୍ୟଆସ୍ଥାନେ ଜଗତ ସାଇଁ
