ଶାଶ୍ଵତ ଚେତନା
ଶାଶ୍ଵତ ଚେତନା
ମନପକ୍ଷୀ ଝୁରେ ଡାକୁଛି ଆତୁରେ
ନିରଭିଜା ନୟନ ରେ,
ନୀଳ କନ୍ଦରରେ ନୀଳମଣି ରହି
ଶୁଣ ମୋ ଗୁହାରୀ ବାରେ ।
ସୁପ୍ତ ଚେତନାରେ ମନ ଅଗଣାରେ
ନିତି ଆସ ଗୋପନରେ,
ଭାବର ପୀରତି ସାଇତି ରଖିଛି
ବିଶ୍ୱାସ ର ସିନ୍ଧୁକରେ ।
ଭାବ ଭାବନାରେ ନିରୋଳା ପ୍ରହରେ
ଆସୁଥିବ ସପନରେ,
ଭକ୍ତି ପୁଷ୍ପାଞ୍ଜଳି ହୋଇ ନିଉଛାଳି
ଦେଉଛି ମୁଁ ନିରନ୍ତରେ ।
ପୂଜା ଆରାଧନା ନାହିଁ ମତେ ଜଣା
ଭକ୍ତିଭାବେ ଶ୍ରଦ୍ଧା ଭରେ,
ନିରକ୍ଷ ପ୍ରାଣୀଟେ ଭାବିବ କେବଳ
ବାନ୍ଧିବ ମତେ ଭାବରେ ।
ଜୀବନ ଯନ୍ତ୍ରଣା ଦୂରକର ବୋଲି
ନାମ ତୁମ ଜଗନ୍ନାଥ,
ତମସା ଘୁଞ୍ଚିବ ଯାତନା ସରିବ
କୃପା କଟାକ୍ଷ କୁ ମାତ୍ର ।
ନିଜଠାରୁ ବେଶି ନିଜର ଭାବେ ଯେ
ସେହି ବାନ୍ଧିପାରେ ଏକା,
ବନ୍ଧନ ପ୍ରିୟ ସେ କାଳିଆ ସାଆନ୍ତ
ଅନୁରାଗେ ପ୍ରିୟ ସଖା ।
ଜୀବନ ଯେତିକି କାମନା ସେତିକି
ମଝିରେ ଦୁଃଖର ନଈ,
କାମନା ବିନାଶେ ଦୁଃଖର ବିନାଶ
ଚିରନ୍ତନ ସତ୍ୟ ସେଇ ।
କ୍ଷମାର ସାଗର ନହୁଅ ନିଷ୍ଠୁର
ଏ ଜୀବନ ତୁମ ଦାନ,
ଏ କଳି କାଳର ହେ,କଳାବଦନ
ଦିଅ ବାରେ ଦରଶନ ।
ଅଶାନ୍ତ ମନ ଟି ଶାନ୍ତ ପଡ଼ିଯାଏ
ଦେଖିଦେଲେ ନେତ୍ର ଦୁଇ,
ସମର୍ପି ଦେଇଛି ଜୀବନ ମୋହରି
କିଛି ଏଠି ମୋର ନାହିଁ ।
ଚିନ୍ତା ଚେତନାରେ ଅବ୍ୟକ୍ତ ଯନ୍ତ୍ରଣା
ସବୁକିଛି ସମର୍ପିଛି,
ନିରବ ନିଃଶବ୍ଦେ ଅକୁହା ବେଦନା
ଭାବ ଛଳେ ବାଢିଅଛି ।
ଅହଂ ସତ୍ତାକୁ ଉଜେଇ ଜୀବନେ
ପବିତ୍ର ଗଙ୍ଗୋତ୍ରୀ ଧାରେ,
ବିଶ୍ବାସର ଦୀପ ଜଳାଇ ରଖିଛି
ସ୍ମିତ ହାସ୍ୟର ତୃଷ୍ଣାରେ ।
