ସେହି ମୋ ପ୍ରିୟ ଜନମ ଭୂଇଁ
ସେହି ମୋ ପ୍ରିୟ ଜନମ ଭୂଇଁ
ସେହି ମୋ ପ୍ରିୟ ଜନମ ଭୂଇଁ
ବିନୋଦିନୀ ଦାଶ
ଜନମ ହେଲି ମାଆ ଗରଭୁ
ଯେଉଁ ପାବନ ମାଟିକୁ ଛୁଇଁ
ପାଣି ପବନେ କଲା ଯେ ବଡ଼
ସେହି ମୋ ପ୍ରିୟ ଜନମ ଭୂଇଁ ।
ଜନନୀ ପରି ଆହାର ଦେଇ
ଆଦର ଯତ୍ନେ ପାଳି ପୋଷଇ
ମୋ ନାଚକୁଦ ସବୁକୁ ସହି
ତୁଣ୍ଡ ଖୋଲେନି ଥରେ ବି ସେହି ।
କ୍ଷଣକୁ କ୍ଷଣ ଧୁଏ ଚରଣ
ସାଗର ନୀଳ ଲହରୀ ମାଳ
ଝରଣା, ନଈ ବୁକେ ଲୋଟଇ
କୁକୁକୁଳୁ ତାନରେ ବିଭୋର ।
ବଣ, ପାହାଡ଼, ଶସ୍ୟକ୍ଷେତର
ଗରଭେ ଧନସମ୍ପଦ ଠୁଳ
ହିମାଳୟ ଯା ଶୁଭ୍ର ମୁକୁଟ
ଆମେସବୁ ତା' ଗଳାର ମାଳ ।
ପୁରଠୁ ପଲ୍ଲୀ ସଭିଏଁ ଏକ
ଜାତୀୟତାର ମନ୍ତ୍ର ଗାଇ
ଜାତି, ଧର୍ମ କି ବର୍ଣ୍ଣ ବିଚାର
ଥିଲେ ମନରେ ବି ଭାଇ ଭାଇ ।
ତ୍ରିରଙ୍ଗା ତଳେ ଜାତୀୟ ଗୀତ
ଗାଆନ୍ତି ସର୍ବେ ଏକତ୍ରିତ
ଏକ ଶାସନ ସର୍ବେ ଅଧୀନ
ଏକ ଭାବନା ସକଳେ ମିତ ।
କଳକାରଖାନା ଉତ୍ପାତିତ
ସବୁ ଦ୍ରବ୍ୟେ ସମ ଅଧିକାର
ଯେତେ ଦରବ ଆମ ବିଭବ
ସିଏ ସରବ ଆଶ୍ରୟସ୍ଥଳ ।
ନମାଗିଲେ ବି ଯାଚି ଦିଅଇ
ତାହାର ବୁକେ କଅଣ ନାହିଁ
ଫୁଲଫଳଠୁ ଖାଦ୍ୟ, ଔଷଧ
ସାଇତି ଅଛି ଆମରି ପାଇଁ ।
ସେହି ଦେଶ ମୋ ଭାରତ ମାତା
ଅଛି ତା'ର ଅଖଣ୍ଡ କ୍ଷମତା
ପରସ୍ପରକୁ ଆପଣା ମଣି
ଆମେ ହୋଇବା ଜଗତଜିତା ।
ତା'ର ଉନ୍ନତି ଆମ ଉନ୍ନତି
ଏହି ଭାବନା ରଖି ମନରେ
ପ୍ରତ୍ୟେକ ନିତି ବଢ଼ି ଆଗକୁ
ତୋଳି ସୁଖ ଢାଳିବା କୋଳରେ ।
କୁରୁଆଁ, ମୁଗପାଳ, ଯାଜପୁର
