ସବୁଠି ତୁମେ
ସବୁଠି ତୁମେ
ସବୁଠାରେ ତୁମ ନାଆଁ
ସକାଳୁ ସକାଳୁ ସୁରୁଜ ଦେଖିଲେ
ତୁମ ଛବି ମନେ ଭାଷେ,
ଶିରିଶିରି ବାଆ ବହିଲେ ଲାଗଇ
ତୁମରି ପରଶ କିସେ ।
ବଗିଚାରେ ନାନା ଫୁଲକୁ ଦେଖିଲେ
ତୁମ ରଙ୍ଗ କଥା ଭାବେ,
ଏତେ ରଙ୍ଗ ଯିଏ ସରଜି ପାରଇ
କି ରଂଗ ସେ ହୋଇଥିବେ ।
ଉପରକୁ ଚାହିଁ ଏକଡେ ସେକଡେ
ଆକାଶକୁ ଯେବେ ଦେଖେ,
ତୁମ ପରିବ୍ୟାପ୍ତି କେଉଁଠୁ କେଯାଏଁ
ମନେ ମୋର ପ୍ରଶ୍ନ ଉଠେ ।
ସାଗରକୁ ଚାହେଁ ସାଗର ଯେଉଁଠି
ଆକାଶ ସହିତ ମିଶେ,
କଳ୍ପନା କରି ମୁଁ ଭାବେ ମନେମନେ
ତୁମ ବିରାଟତା କିସେ ।
ନଦୀ ଝରଣାରେ ସାଇତିଛ ତୁମେ
ଅମୃତ ସମାନ ଜଳ,
ତରୁଡାଳେ ତୁମେ ସଜାଇ ରଖିଛ
କେତେ ମିଠାମିଠା ଫଳ ।
ରାତି ଆକାଶରେ ତାରା ଫୁଲମେଳେ
ଦେଖିଦେଲେ ତୋଫା ଜହ୍ନ,
କିଏସେ ବିନ୍ଧାଣୀ କି କାରିଗରୀତା
ଖୋଜେ ତାକୁ ମୋର ମନ ।
ଛୋଟପକ୍ଷୀଟିଏ ହେଲେବି ଆକାଶେ
ଡେଣା ଝାଡି ପାରେ ଉଡି,
ଦେଇଛ ବୋଲି ସେ ଶକତି ତାହାକୁ
ଯାଉନି ଅଧାରୁ ପଡି ।
ଭସାବାଦଲରେ ସାଇତି ରଖିଛ
କିପରି କୁହତ ଜଳ,
ଭାବୁଛି ମୁଁ ସଦା କିପରି ଗଢ଼ିଛି
କିଏ ସେହି କାରିଗର ।
ଯୁଆଡକୁ ଚାହେଁ ସିଆଡେ ଦେଖୁଛି
ସବୁଠାରେ ତୁମ ନାଆଁ,
ଯାହାକୁ ଛୁଇଁଲେ ସେଠାରେ ପାଉଛି
ସବୁଠାରେ ତୁମ ଛୁଆଁ ।
ଶିଶୁର ଦରୋଟି ହସରେ ରହିଛ
କୁଆଁରୀ ଲାଜରେ ତୁମେ,
ସବୁଠାରେ ତୁମେ ରହିଅଛ ହେଲେ
ନ ଜାଣି ଖୋଜୁଛୁ ଆମେ ।
ବାପାରଶାସନେ ରହିଅଛ ପୁଣି
ମାଆର ମମତା ହୋଇ,
ଭଉଣୀ ରୂପରେ ଦେଖାଦିଅ କେବେ
ସେନେହେ ଭିଜାଇ ଦେଇ ।
ବହୁରୂପି ତୁମେ ବହୁରୂପ ତୁମ
କଳନା ପାରୁନି କରି,
ଯୁଆଡେ ଚାହିଁଲେ ଆଖି ଲାଖି ରହେ
ଦେଖି ତୁମ କାରିଗରୀ ।
ସୃଷ୍ଟି ଯାହାର ଏତେ ମଧୁମୟ
କେତେମଧୁ ସେଇ ସ୍ରଷ୍ଟା,
ଇଚ୍ଛାହୁଏ ମୋର ଥରେ ତାଙ୍କ ସହ
ହୁଅନ୍ତାକି ହେଲେ ଦେଖା ।
