ମୟୂରଭଞ୍ଜର କାଠୁଆ ଶୀତ
ମୟୂରଭଞ୍ଜର କାଠୁଆ ଶୀତ
ଶୀତରେ ଧସେଇ ଆସନ୍ତି ପୌଷ ମାଘ
ବଡ଼ଦିନ ନୂଆ ବରଷକୁ ନିଜ ସାଥୀରେ ଧରି
ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟ
ସବୁ ଶୀତକୁ ତାର ଚିପୁଡି ଦିଏ
ଓଦା ଗାମୁଛା ଚିପୁଡିଲା ପରି ଭିଡ଼ି ମୋଡ଼ି
ଶାଳ ପିଆଶାଳ ମହୁଲ ଗଛର ଛାଇ ତଳେ
ବୁଢ଼ାବଳଙ୍ଗର ଶୀତଳ ଜଳରାଶି
ବରଫ ପାଲଟି ଯାଇ ଶୀଥିଳ କରି ଦିଏ
ଦେହର ଫୁଟୁଥିବା ଉଷୁମ ରକ୍ତକୁ
ସେ ଶୀତରେ କାଲୁଆ ପଡ଼ନ୍ତି ହାତ ଗୋଡ଼
ଥରୁ ଥରୁ କମ୍ପି ଠକ୍ ଠକ୍ ବଜାନ୍ତି ଦାନ୍ତ
ଦିନ ଦ୍ଵିପ୍ରରରେ ବି ଟୋପି ସ୍ବୁଏଟର
ଛାଡ଼ିବାକୁ ମନ ହେଉ ନ ଥାଏ କାହାରି
ସଞ୍ଜ ହେଉ ନ ହେଉଣୁ ବେଙ୍ଗ ସାପ ପରି
ସଭିଏଁ ଶୀତନିଦ୍ରାରେ ହଜନ୍ତି ଘୁଙ୍ଗୁଡ଼ି ମାରି
ରେଜେଇ କମଳରେ ଏ କାଠୁଆ ଶୀତକୁ ଜାକି
ଚାଷି ମୂଲିଆ ଡରନ୍ତି ନାହିଁ ଜମାରୁ ତିଳେ
ଧାନ ଅମଳରେ ବ୍ୟସ୍ତ ରହିଥାନ୍ତି ଖଳାରେ
ଖରାବେଳୋ ଯାଏଁ ରଖନ୍ତି ତାକୁ ବାନ୍ଧି
ପିଲାଝିଲା ଯେତେ ସେ ଶୀତକୁ କରି ଢ଼ିଲା
ଖେଳ କୁଦରେ ହୁଅନ୍ତି ଠେଲାପେଲା
ନ ଡରି ତାକୁ ତଡ଼ି ଦିଅନ୍ତି ମାରି ଢ଼େଲା
ବରିଷ୍ଠ ନାଗରିକ ବଡ଼ଭାଇ ମଉସା ମାନେ
ଶୀତକୁ ଘଉଡ଼ାଇ ଦିଅନ୍ତି ସକାଳ ବୁଲା ବୁଲି
ଫେରି ଆସି ପୁଣି ଜମା ଦିଅନ୍ତି
ଘର ଅଗଣାର ତତଲା ଚା' କପ୍ କୁ ଚୁମି
ଗାଁ ଠୁ ସହର ବଜାର ତ ଗାଡ଼ି ମଟର ଭିଡ଼
ଶୀତକୁ ଉଡ଼ାଇ ଦିଅନ୍ତି ଫାଙ୍କା ପବନରେ
ଗଣପର୍ବ ମକର ଆସେ ମୁରୁକି ମୁରୁକି ହସି
'ମକରକୁମା' ରେ ଶୀତକୁ ଦିଅନ୍ତି ପୋଡ଼ି
ଆନନ୍ଦ ଉଲ୍ଲାସେ ଫୁଟାଇ ବାଣ ବଜାନ୍ତି ଗୀତ
ନୂଆ ଜାମାପେଣ୍ଟ୍ ଯୋଡରେ ଯୋଡ଼ି ହୋଇ
ଫି ବରଷ ଶୀତ ଆସେ ଶୀତ ଯାଏ
ସାରା ଓଡ଼ିଶାକୁ କରି ହେମାଳ ଥରାଇ ଦିଏ
ମାଘର ଶୀତ ହେଲେ ବି ବାଘ ପରି
ମେହନତିର ଫଳ ଫଳାଇ କରେ ଲାଘବ
ଏ ମୟୂରଭଞ୍ଜର କାଠୁଆ ଶୀତ
ଛାଡ଼ିଗଲେ ଚାଲି ଲାଗେ ଛାଡ଼ିଗଲା କି ମିତ ?