STORYMIRROR

ବି. ନିରୁପମା

Action Fantasy Others

4  

ବି. ନିରୁପମା

Action Fantasy Others

ସବୁ ଦହି ଗଲେ ଖାଇ

ସବୁ ଦହି ଗଲେ ଖାଇ

1 min
294

କଳା ଗୋରା ଯୋଡ଼େ ପାଇକ ଆସିକି

ପିଇ ଦେଲେ ପେଟେ ଦହି,

ରାଜାଙ୍କ ଠୁ ନେବ କଉଡ଼ି ବୋଲି ସେ

ମୁଦି ଦେଇ ଗଲେ କହି ।


କାଳିଆଟା ମୋର ପଣତକାନିରେ

ପୋଛି ହେଲା ମୁହଁ ଝାଳ,

ଗୋରା ସଇନିକ ଦହି ପିଇବାକୁ

କଲା ଖାଲି ଅସମ୍ଭାଳ ।


ମିଳି ନ ଥିଲେ କେ ଜଣିଏ ଗରାଖ

ବୁଲୁଥିଲି ସାଇ ସାଇ,

ଅଚାନକ ଆସି ଘୋଡ଼ାରୁ ଓହ୍ଲାଇ

ସବୁ ଦହି ଗଲେ ଖାଇ ।


କଉଡ଼ି ମାଗିଲା ବେଳକୁ ଅଣ୍ଡାଳି

କହିଲେ, "ପାଖରେ ନାଇଁ,

କାଞ୍ଚି ଅଭିଯାନେ ଯାଇଥିଲୁ ପରା

ଫେରୁଅଛୁ ଦୁଇଭାଇ ।


ପଛରେ ଆମର ରାଜା ଆସୁଛନ୍ତି

ରଖ ମୋର ଅଙ୍ଗୁରିୟ,

ଦେଖାଇଲେ ତାଙ୍କୁ ଦହି ମୂଲ୍ୟ ଦେବେ

ଜାଣି ଆମ ପରିଚୟ ।"


ସେଇଠୁ ସେ ଗଲା ଉତ୍ତାରୁ ଏ ଥାନ

ବାସୁଅଛି ମହାମହ,

ତୁଳସୀ, ଚନ୍ଦନ, କର୍ପୂର,ପଦୁଅଁ,

କସ୍ତୁରୀ ବି ତାହା ସହ ।


ଥାଟ ବାଟ ଧରି ଆସିଗଲେ ଯେବେ

ରାଜାଙ୍କୁ ଓଳଗି ହେଲି,

ମୁଦିକୁ ଦେଖାଇ, ପାଇକ ଦୁହିଁଙ୍କ

କଥା ସବୁ କହିଗଲି ।


ଆଖି ବଡ଼ ବଡ଼ କରି ସେ କହିଲେ,

"ପ୍ରଭୁଙ୍କ ମୁଦ୍ରିକା ଇଏ,

ପାଇକ ନୁହଁନ୍ତି ସ୍ୱୟଂ ଜଗନ୍ନାଥ,

ବଳଭଦ୍ର ପରା ସିଏ ।


ମାଣିକ ଲୋ ତୁହି ଧନ୍ୟ ହୋଇଗଲୁ

କଲୁ ତାଙ୍କ ଦରଶନ,

କଉଡ଼ି ବାବଦ ଏଇ ସ୍ଥାନ ହେଲା

ମାଣିକ ପାଟଣା ନାମ ।"


ସେ କଥାକୁ ଶୁଣି ଦେହ ମନ ଖାଲି

ଉଲୁସି ଉଠୁଛି ମୋର,

ବ୍ରହ୍ମାଣ୍ଡ କର୍ତ୍ତାଙ୍କୁ ଦହି ପିଆଇଲି

ଏଡ଼େ ସଉଭାଗ୍ୟ କା'ର !


ଚରଣେ ତାଙ୍କର କୋଟି ଦଣ୍ଡବତ

ଭକତର ହିତ ଲାଗି,

ନାନା ବେଶ ଧରି କର୍ତ୍ତବ୍ୟ କରନ୍ତି

ସବୁବେଳେ ଥା'ନ୍ତି ଜାଗି ।


ଜଗା, ଜଗା ବୋଲି କେତେ ଘୋଷୁଥିଲି

କରିଥିଲି ଗଳାମାଳି,

ଆଜି ଦରଶନ ପାଇ-କୋଟି ଜନ୍ମ

ପୁଣ୍ୟ ମୋତେ ଗଲା ମିଳି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action