ସ୍ବପ୍ନ
ସ୍ବପ୍ନ
ବାନ୍ଧି ଦେଉଥିଲ ଯେବେ ତୁମେ ଜୁଡ଼ା
କୃଷ୍ଣଚୂଡ଼ା ହସୁଥିଲା,
ଲାଜକୁଳି ପରି ଝାଉଁଳି ମୁଁ ଗଲି
ଅଳସୀ ସଞ୍ଜ ଦେଖିଲା ।
ମଳୟ ପବନ ଚୁପି ଆସି କାନେ
କହିଲା ଅଭିନନ୍ଦନ,
ରଜନୀଗନ୍ଧାର ଗଜରାଟି ଦେଉଥିଲା
ପ୍ରୀତିର ଚୁମ୍ବନ।
ରୁଣୁଝୁଣୁ ବାଜି ପାଦର ପାଉଁଜି
ଜଗାଇଲା ଶିହରଣ,
ହୃଦୟ ବୀଣାର ପ୍ରେମ ରାଗିଣୀରେ
ଝୁମି ଉଠିଲା ମୋ ମନ।
ମନ କୁଞ୍ଜବନେ ବଂଶୀର ଶ୍ଵନ
ସତେକି ଆସିଲା ଭାସି !
ସଞ୍ଜୁଆ ଆକାଶେ ପ୍ରୀତିର ଚାନ୍ଦିନୀ
ହୋଇଗଲା କିବା ନେସି ?
ମୁକୁତାର ହସ ଝରିପଡୁଥିଲା
ଲାଜୁଆ ଓଠରୁ ମୋର,
ଜ୍ୟୋସ୍ନା ଓଢଣୀରେ ମୁହଁ ଢାଙ୍କିଦେଇ
ଲାଜେ ହେଲି ଜର ଜର।
ଭିଜିଗଲେ ଆମେ ବାରିଦ ବର୍ଷାରେ
ସ୍ବପ୍ନ ହୋଇଗଲା ପୂର୍ଣ୍ଣ,
ଆଖି ଖୋଲିଗଲା, ସ୍ବପ୍ନ ଚାଲିଗଲା
ଦେଇ ମିଠା ସମ୍ମୋହନ।