ସାହାରା
ସାହାରା
ଭଲ ଲାଗେ ଭାବିବାକୁ ତୁମକୁ
ଘୋଘୋ ଘରେ ମୁଁ ନିଶବ୍ଦ ଥିବା ବେଳେ
ତୁମେ ବେଶ ନିଜର ଲାଗ ମୋତେ
ସେଇ ନିଝୁମ ବିଭୋର ଭାବନା ମେଳେ ।
ଉଜ୍ଜ୍ୱଳ ଲାଗ ନିବୁଜ ଆଖିର ଚୌହଦିରେ
ତୁମେ ଠିକ ଜ୍ୟୋତ୍ସ୍ନାସ୍ନାତ ଅନ୍ଧକାର ଭଳି
ମୁଲାୟମ ଲାଗ ଧୁ ଧୁ ଖରାବେଳର
ସେଇ ବାସ୍ନାୟିତ ଫେନିଳ ବ୍ୟାଥ୍ ଟବ୍ ଭଳି ।
ମୁଁ ବାରମ୍ବାର ନିଜକୁ ପ୍ରବୋଧନା ଦିଏ
ମେରୀ ଖୁଣ୍ଟ ପାଖ ଝିଅ ଭଳି ନିର୍ଧୁମ ଘୁରେ
ଏଇ ଛୁଇଁ ଦେବି କହିକହି ନିଜକୁ ବୁଝାଏ
ଆଉ ରୁହେ ଅନର୍ଗଳ ନିଜ ସହ ଖେଳରେ ।
ତୁମେ ବେଶ ଦମ୍ଭ ଦିଅ ସେତେବେଳେ
ଦୁରେଇ ସବୁ ପରିଚିତ ଯନ୍ତ୍ରଣାର ଦ୍ୱନ୍ଦ୍ୱ
>
ଠିକ ସତେଜ ଗୋଲାପ ଭଳି ଲାଗେ
ମୋ ମଲା ସ୍ୱପ୍ନ ମାନଙ୍କର ଆଇସିଣିଆ ଗନ୍ଧ ।
ତୁମେ ଧୂପ ଭଳି ମହକି ଯାଅ ସବୁଠି
କରି ଦେଇ ମୋ ଫୁସଫୁସକୁ ସତେଜ
ନିଦୁଆ ଆଖିରେ ସ୍ୱପ୍ନ ହେଇପାର ସତେ
ବିଛାଡି ଦେଇ ଅଗଣିତ ଇପ୍ସାର ବୀଜ ।
କିନ୍ତୁ ତୁମକୁ ମୋ ରାଣ
ଆସିବ ସବୁବେଳେ ଠିକ ଏମିତି
ନିବୁଜ ଦରଜା ଦେଇ ସଭିଙ୍କ ଅଲକ୍ଷରେ
ଚାଦର ଢ଼ଙ୍କା ଦେହର ନିଥର ସ୍ପନ୍ଦନରେ
ଅବ୍ୟକ୍ତ ସଂଳାପ ଧାରୀ ଅଲିଖିତ ଗପରେ।
କାରଣ ତୁମେ ଯଦି ସତରେ ଆସିବ
ତୁମକୁ ନେଇ ବିଭୋର ସ୍ୱପ୍ନର ମୃତ୍ୟୁ ହେବ
ହେ କୁହ ତା' ପରେ ମୋ ଜୀବନର
ଅନ୍ତିମ ସାହାରା କିଏ ହେବ ?