ବାଇଚଢେଇରେ ବାଇଚଢେଇ
ବାଇଚଢେଇରେ ବାଇଚଢେଇ
ବାଇଚଢେଇରେ ବାଇଚଢେଇ ତୋ
କୁଆଡ଼େ ଯାଇଛି ମାଆ
ଅଛୁ ଏକା ଏକା ଝୁଲୁଛି ବସାଟି
ଦେଲେ ସୁଲୁସୁଲୁ ବାଆ ।
ଗାଈ ଗୋଠ ନେଇ ଚରେଇବା ପାଇଁ
ଯାଇଛି କି ମାଆ ତୋର
କୁନି ବସାଟିରେ ଏକା ଦେଖି ତୋତେ
ଭରସା ପାଉନି ମୋର ।
ଗୋଠ ଯାଇଥିଲେ ଗଜରା ଦୁଧ ସେ
ତୋ ପାଇଁକି ଦେବ ଆଣି
ତୋତେ ପରା ସିଏ ଭାରି ଭଲପାଏ
ଭଲରେ ଅଛି ମୁଁ ଜାଣି ।
ଧୀର ପବନରେ ଝୁଲୁଥା' ଦୋଳି ତୁ
ନିଦ ଆସିଯିବ ଧାଇଁ
ଶୋଇଯିବୁ ବେଗେ ଗହଳ ନିଦରେ
ବସାଟି ଭିତରେ ଥାଇ ।
ବସାକୁ ଫେରିଲେ ମାଆ ତୋର ଆସି
ଦେବ ତୋତେ ଗେଲ କରି
ଝୁଲି ଝୁଲି ଏବେ ଯାଆରେ ଶୋଇ ତୁ
ନିଦ ମାଉସୀକି ଧରି ।
ନିଦରୁ ଉଠିଲେ ଖାଇବୁ ଖେଳିବୁ
ଯିବୁ ନାହିଁ ଜମା ରୁଷି
ମାମୁଘର ଯାଇ ବୁଲି ତୁ ଆସିବୁ
ମନ ହୋଇଯିବ ଖୁସି ।
ସଜ କରିଦେବ ମାଆ ତୋର ତୋତେ
ରଖିଛି କଜଳପାତି
ବୁଲି ଗଲେ ସେଠି ଦେଖିକି ଆସିବୁ
ବଡ଼ ବଡ଼ ଘୋଡ଼ା, ହାତୀ ।
ହେଇ ବହିଲାଣି ଥିଇରି ପବନ
ଯାଆରେ ଯାଆ ତୁ ଝୁଲି
ଫେରିଲାଣି ମାଆ ଯାଇଥିଲା ପରା
ଦୂର ରାଇଜକୁ ବୁଲି ।