ପବିତ୍ର ଜନ୍ମାଅଷ୍ଟମୀ
ପବିତ୍ର ଜନ୍ମାଅଷ୍ଟମୀ
ଭୂଇଁଠୁ ଆକାଶ ଆଲୋକର ହସ
ଅପ୍ରମିତ ପ୍ରୀତି ଧାରା
ଉଜ୍ଜ୍ବଳ ପ୍ଳାବିତ ସ୍ୱଚ୍ଛ ଅବାରିତ
ବିକଶିତ ହୁଏ ଧରା ।
ପ୍ରତୀକ୍ଷିତ ପ୍ରାଣେ ଖୁବ୍ ସନ୍ତର୍ପଣେ
ଚେତନାର ଜାଗରଣ
ମରୁ କ୍ଷତ ଭୁଲି ଉଲ୍ଲସିତ ବାଲି
ମହୋତ୍ସବର ପାଳନ ।
କାରାଗାର ତା'ର ହୁଏ ରୂପାନ୍ତର
ମହମହ ଫୁଲ ବାସ୍ନା
ବିସ୍ତୀର୍ଣ୍ଣ ଉଦ୍ୟାନେ ମନ ବୃନ୍ଦାବନେ
ଦିବ୍ୟ ବେଣୁ ସ୍ୱନ ତୃଷ୍ଣା ।
ସମ୍ମୋହିତ ତୀରେ ବାତ୍ସଲ୍ୟର ସୁରେ
ଲେଖେ ସ୍ୱର୍ଣ୍ଣିମ ସ୍ୱାକ୍ଷର
ଯମୁନାର ନୀରେ ପୁଣ୍ୟ ଅସ୍ତିତ୍ବରେ
ବାଳକୃଷ୍ଣ ଅଭିସାର ।
ସେ ବିଜୁଳି କନ୍ୟା ସତେ ଅବା ଧନ୍ୟା
ଯଶୋଦାଙ୍କ ଶ୍ରଦ୍ଧା ସୂତା
ଦେବକୀଙ୍କ କୋଳେ ଉଜାଣି ଏ ବେଳେ
ଅନ୍ଧକାରେ ବିସର୍ଜିତା ।
ଦିଗ୍ ବଳୟ ପାରେ ସବୁ ଅତ୍ୟାଚାରେ
ପରିଚୟ ଯେଵେ ହଜେ
ଶୋଷିତ ଏ ବିଶ୍ୱ ପୁଣି ହୁଏ ନିଃସ୍ୱ
ଶ୍ୟାମଳ ପୀୟୂଷ ଖୋଜେ ।
ଇତିହାସ ବକ୍ଷେ ପୁଣି କାଳ ଲେଖେ
ଜନନୀ ଜରାୟୁ କଥା
ବନ୍ଦିନୀ ମାତୃତ୍ଵ କେମିତି ସ୍ପନ୍ଦିତ
କଡ଼ ଲେଉଟାଏ ବ୍ୟଥା ।
ବହୁ ପ୍ରତୀକ୍ଷିତ କ୍ଷରିତ ଅମୃତ
ଯୁଗେ ଯୁଗେ ମଧୁ ରସ
ଦୀପ୍ତିମୟ ବିଶ୍ୱେ ଚତୁର୍ଦ୍ଦିଗ ବାସେ
ସେହି ବାଳକୃଷ୍ଣ ଯଶ ।
ନିବିଡ଼ ବନ୍ଧନେ ଏବେ ନଗ୍ର ଜନ
ସୁରକ୍ଷିତ ଏ ମେଦିନୀ
ସମୁଜ୍ଜ୍ୱଳ ଧରା ଶୋଭାର ପସରା
ଚଉଦିଗେ ମନ୍ତ୍ର ଧ୍ୱନି ।
ଛଳଛଳ ପ୍ରାଣ ରସ
ଆକଣ୍ଠ ପାନରେ ଏ ମହୀ ମଗ୍ନରେ
ଉଚ୍ଛୁଳି ଉଠୁଛି ହସ ।