କିଛି ଶେଷ କଥା
କିଛି ଶେଷ କଥା
ଯେତେ କହୁ ଥିଲେ
ସରେ ନାହିଁ କଥା
ରହେ କିଛି ଶେଷ କଥା ,
ସେଇ ଶେଷ କଥା
ସ୍ମୃତି ହେଇ କେବେ
ମରମକୁ ଦିଏ ବ୍ୟଥା ।
ଶେଷ କଥା ରଖି
କୈକେୟି ରାଣୀର
ଦଶରଥ ହଟହଟା ,
ଶେଷ କଥା ପଦେ
ନରଖିଲା ଯହୁଁ
ରାବଣର ମୁଣ୍ଡ କଟା ।
ଶାନ୍ତିର ବାର୍ତ୍ତା
ଏଇ ଶେଷ କଥା
କୃଷ୍ଣ ଯାଇ ଥିଲେ ନେଇ,
ମାନ ନବୁଝିଲେ
ମାନୀ ଦୁର୍ଯ୍ୟୋଧନ
ବଂଶ ଗଲା ନାଶ ହେଇ ।
ଅର୍ଜୁନର ପୁତ୍ର
କୃଷ୍ଣର ଭଣଜା
ହେଇବି କଟିଲା ମଥା ,
ନିଦ୍ରା କୋଳେ ଯେଣୁ
ଶୋଇ ଗଲେ ମାତା
ଶୁଣି ନାହିଁ ଶେଷ କଥା ।
ଶେଷ ଦୃଶ୍ୟ ଯେବେ
ଆସିଲା ଘନେଇ
ଭୀଷ୍ମଙ୍କର ଶେଷ କଥା,
ବିଶ୍ବରୂପ ଦେଖି
ବୁଜି ଦେଲେ ଆଖି
ମୃତ୍ୟୁ ନୁଆଁଇଲା ମଥା ।
ଶେଷ ପର୍ବ ବେଳେ
ଶେଷ କଥା ହେଲା
ପାଦ ଯେବେ ଗଲା ଖସି,
ନଚାହିଁ ପାଣ୍ଡବେ
ସ୍ବର୍ଗାରୋହଣ କଲେ
ଦ୍ରୌପଦୀ କାନ୍ଦିଲେ ବସି ।
ଶିଆଳି ଲଟାରେ
ଝୁଲୁ ଥିଲେ କୃଷ୍ଣ
ଘଟିଲା ଘଟଣା ଯଥା ,
ବଂଶ ଚାଲି ଗଲା
ବଂଶୀ ଚାଲି ଗଲା
ରହି ଗଲା ଶେଷ କଥା ।
କଥାରେ କଥାରେ
କଳି ଆସି ଯାଏ
କଥା ସାଥେ ଯୋଡ଼େ ନଥା,
ଅଡ଼ୁଆ ସୂତାରୁ
ଖିଅ କାଢ଼ୁ ଥିଲେ
ବାକି ରହେ ଶେଷ କଥା ।
