ସଙ୍ଗୋପନ ପରେ
ସଙ୍ଗୋପନ ପରେ
ଅଛି ମୋ ଭିତରେ
ସତେଜ ହେଇ ଏବେବି
ସେଇ ଈଶ୍ୱରୀର ହୃଦୟ
ଖୁବ୍ ସଙ୍ଗୋପନରେ ଜାଣ ତୁମ ଅଲକ୍ଷ୍ୟରେ ।
ବିଲୀନ କରିବାକୁ ମୋତେ
ବାରମ୍ବାର ତୁମର ପ୍ରଚେଷ୍ଟା ପରେ ବି
ମୁଁ ସାଇତିଛି ମୋ ଭିତରେ
ନିଶ୍ଚିହ୍ନ ହେଇ ପୁଣି ଗୁଜୁରୀ ଯିବାର ଇପ୍ସା
ସୃଷ୍ଟି ସମ୍ଭାର ନ୍ୟସ୍ତ ବୋଲି ମୋ କାନ୍ଧରେ ।
କିନ୍ତୁ ଅବସୋସ ...............
ତୁମ ଓଠରେ ତୁମ ଶବ୍ଦରେ
ମୁଁ କାଳେ ବୋହି ଆସିଛି
ଆଦିମତା ମୋ ଭିତରେ
ମୁଁ କାଳେ ନର୍କର ଦ୍ୱାର ଦେଶ
ଏଇ ସୃଜନ ଜଗତରେ
ମୁଁ କାଳେ ଦାବାଗ୍ନି କାମନାର
ଏଇ ସନ୍ୟାସୀ ସମାଜରେ ।
ସହି ନେଇ
ଏ ସମସ୍ତ ଅପବାଦ ବିନା ପ୍ରତିବାଦରେ
ଗଢୁଥାଏ ମୁଁ
ନନ୍ଦନ କାନନ ଏଇ ଶୁଷ୍କ ପୃଥିବୀରେ ।
ଏଇ ଆଶାର
େ ଯେ ............
କାଉଁରୀ କାଠିର ଛୁଆଁରେ ମୁକୁଳିଯିବି
କନକ କନ୍ୟାର ପାଷାଣ ଦେହ ଦେହଳିରୁ ମୁଠେ ସମ୍ଭାବନାର ବୀଜ ସାଇତି ନେଇ
ପୁଷ୍ପିତା ହେଇ ଭୁରୁଭୁରୁ ବାସ୍ନାମୟୀ ହେବି ।
କାରଣ
ମୋ ବ୍ୟତୀତ ଏଇ ସମ୍ଭାବନା
ଆଉ ଦେଇନି ସୃଷ୍ଟି କାହା ହାତରେ
ମୋର ଅସ୍ତିତ୍ୱ ମୋର ନୁହେଁ
ଏତକ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ।
ସେଥିପାଇଁ ବୋଧେ......
ହଜାରେ ପ୍ରଦୂଷଣ ପରେ ଅମ୍ଳଜାନ ଭଳି
ମୋର ଅସରନ୍ତି କାଳୀମା ଦୀପ୍ତ ରୂପରେ
ତୁମେ ବାରମ୍ବାର ଖୋଜି ଆସିଛ
ଗୋଟେ ନିଶ୍ଚିତ ଘରର ଠିକଣା ମୋ ଭିତରେ ।
ତେଣୁ କହିବି ............... ..
ଅଛି ମୋ ଭିତରେ
ସତେଜ ହେଇ ଏବେବି
ସେଇ ଈଶ୍ୱରୀର ହୃଦୟ
ଖୁବ୍ ସଙ୍ଗୋପନରେ ଜାଣ ତୁମ ଅଲକ୍ଷ୍ୟରେ ।
( ମୁଁ ଗୋଟିଏ ସତ୍ତା ,ମୋର ନିଜସ୍ୱ ଔଜଲ୍ୟ ଏତେ ଦୀପ୍ତିମୟ ଯେ ମୁଁ ଶକ୍ତି ଈଶ୍ୱରଙ୍କର ମୋ ବ୍ୟତୀତ ସେ ଶକ୍ତିହୀନ )