କାବ୍ୟ ନାୟିକା
କାବ୍ୟ ନାୟିକା
ସାହିତ୍ୟ ଅଙ୍ଗନେ ଅମ୍ଲାନ ମୟୂଖ
ବାସ ଫୁଲ ସତେ କାବ୍ୟ,
ସଂସାରର ମାୟା ଭରି ରହିଥାଏ
ସାତସୁରେ ମଧୁ ଶ୍ରାବ୍ୟ |
କବିର କଳ୍ପନା ହୋଇପାରେ ତାହା
ଅବା ସତ୍ୟ କାହା ଗାଥା,
କବି ଲେଖନୀର କୁହୁକ ପରଶେ
ହୋଇଥାଏ ସୁଶୋଭିତା |
କାବ୍ୟ ନାୟିକା ଯେ କବିର କଳ୍ପନା
କିମ୍ବା କେଉଁ ରାଜଜେମା,
ଐତିହାସିକ ବି ହୋଇପାରେ ସିଏ
ସୁନ୍ଦର ଚିତ୍ର ପ୍ରତିମା |
କବି ମନେ ସିଏ ପ୍ରାଣ ପ୍ରାଚୁର୍ଯ୍ୟର
ସତେ କି ପିତୁଳାଟିଏ,
କାହାଣୀର କେନ୍ଦ୍ର ହୋଇ ଯେ ପାଲଟେ
ଜୀବନ୍ତ ମଣିଷ ସିଏ |
ବାଲ୍ୟଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାହାର
କାବ୍ୟରେ ରୂପ ପାଏ,
କୈଶୋର ଆସେ ଯୌବନ ଆସେ
କାହାଣୀ ଆଗେଇ ଥାଏ |
କେବେ ଛଳ ଛଳ କେବେ ପ୍ରଗଳଭା
ରୂପ ମଧୁର୍ଯ୍ୟରେ ଭରା,
କେବେ ଗାଇଥାଏ ପ୍ରୀତିର ରାଗିଣୀ
ହୋଇ ପୁଲକିତ ସାରା |
କବି କଳ୍ପନାରେ ସୌନ୍ଦର୍ଯ୍ୟମୟୀ ସେ
ସତେ ଅବା ଚମ୍ପାଗୋରୀ,
ନାନା ଆଭୂଷଣେ ସାଜିଥିବା ଜଣେ
ପ୍ରେମମୟୀ ସ୍ୱର୍ଗ ପରୀ |
କବି ଭରିଦିଏ ଓଠରେ ତାହାର
କେବେ ମିଳନର ଗୀତି,
କେବେ ବିରହର ଅଶ୍ରୁ ଭରିଥାଏ
ଚୋରାଇ ତାହାର ପ୍ରୀତି |
ଚଲାପଥେ କେବେ ଫୁଲର ଗାଲିଚା
ମୁଖେ ଭରିଥାଏ ହସ,
କେବେ ପାଦେ ତାର କଣ୍ଟାର ଆଘାତ
ଯନ୍ତ୍ରଣାରେ ସନ୍ତାପିତ |
କବିର ହୃଦୟ କାବ୍ୟ ସୃଜନୀରେ
ବହିଥାଏ ନଦୀପରି,
ସତେ ଅବା ଝରେ ନାୟିକା ପାଇଁ ସେ
ହସ କାନ୍ଦ ନିଜେ ଭରି ||
