ଭାବନା କିଛି କ୍ଷଣ ର
ଭାବନା କିଛି କ୍ଷଣ ର
ସୁବିଧାବାଦି ମୁଁ ନୁହେଁ......
ଯିଏ ଅଧା ବାଟରେ ହାତଛାଡ଼ି ଚ଼ାଲିଯିବି
ସମ୍ପର୍କର ପ୍ରତ୍ୟେକ ଖିଅ କାଟି
ସବୁ ପ୍ରତିଶୃତି ଛିଣ୍ଡେଇ
କେବଳ ନିଜ ସ୍ବାର୍ଥ ହିଁ ଚିନ୍ତା କରିବି ।
ମୁଁ ତ ଅନିଦ୍ରା ଆଖିର ସ୍ବପ୍ନ ଟିଏ
ମୁଁ ତ କୁଆଁରୀ ରାତିର ଜହ୍ନ ଟିଏ
ମୁଁ ତ ତୃଷାର୍ତ୍ତର ଜଳବୁନ୍ଦା ଟିଏ
ମୁଁ ତ ପ୍ରକମ୍ପିତ ଓଠର ଅବ୍ୟକ୍ତ ଶବ୍ଦଟିଏ
ମୁଁ ତ ନିରୋଳା ରାତିର ମନ ଟିଏ
ମୁଁ ତ ଶୀତ ସକାଳର କାକର ବୁନ୍ଦାଟିଏ
ମୁଁ ତ ଚ଼ୋରାବସନ୍ତର ହଳଦୀବସନ୍ତ ଟିଏ
ମୁଁ ତ ବର୍ଷା ଋତୁର ଉଚ୍ଛୁଳା ନଈ ଟିଏ
ମୁଁ ତ ଅଳସୀ ଆଖିର ଅକୁହା ଭାଷାଟିଏ
ମୁଁ ତ ନିରୀହ ମନର ସୁପ୍ତ ଆଶା ଟିଏ
ମୁଁ ତ ସମୟର ସୁଅରେ ଭାସୁଥିବା ଶୁଖିଲା ପତ୍ର ଟିଏ
ମୁଁ ତ କ୍ଳାନ୍ତ ପଥିକର ପାନ୍ଥଶାଳା ଟିଏ
ମୁଁ ତ ବାଟୋଇର ମୂକ ସାଥି ଟିଏ !
ଯୋଉଠି ଯେତେବେଳେ ମୋ ମନରେ
କାହାର ଅବାଧ ଖିଆଲ ଭରି ଯାଉଥିଲା
ସେତେବେଳେ ମୁଁ ଏଇ ଆକାଶ ତଳେ
ନିରୋଳାରେ ପ୍ରତିଦିନ ନିଜେ ନିଜ ଭିତରେ
ନିଜକୁ ଖୋଜୁଥାଏ ଅନ୍ୟମନସ୍କତାରେ ।।
