ଓମିକ୍ରନର ବିଭିଷିକା
ଓମିକ୍ରନର ବିଭିଷିକା
ମହାମାରୀ ନିଏ ଉଗ୍ର ରୁପ ଆଜି
ଧରାରେ ପଡିଛି ହୁରି,
ମୃତ୍ୟୁର ତାଣ୍ଡବ ରଚେ ବିଭିଷିକା
ପ୍ରକୃତିର ବକ୍ଷ ଚିରି ।
କଲବଲ ହୁଏ ମାନବ ସମାଜ
ପାଏନାହିଁ ଆହା ପଦେ,
ଯାଅନା ଛୁଅଁନା ପାଖରୁ କାହାକୁ
ପାସେ ଗଲେ ରୋଗ ଭେଦେ ।
ଥକି ପଡିଲାଣି ଉପସମ ପାଇଁ
ବିଜ୍ଞାନ କରି ପରୀକ୍ଷା,
ଫଳ ଶୂନ୍ୟ ହୋଇ ଆଶା ମରୁଅଛି
ଔଷଧ କରୁନି ରକ୍ଷା ।
ନାମକୁ ନେଉଛି ଟୀକା ପରେ ଟୀକା
ନାହିଁ ତିଳେ ଉପସମ,
ସର୍ବନାଶ ବେଳ ଆସିଲା ବୋଧେ ଏ
ନ ମିଳଇ ଅମ୍ଳଜାନ ।
ଘୁରି ଘୁରି ବୁଲି କରୋନା ରାକ୍ଷସ
ମର୍ତ୍ତରେ କରି ତାଣ୍ଡବ,
ମଶାଣୀ ଶାଳରେ ହୁତୁ ହୁତୁ ହୋଇ
ଜଳୁଛି ମଣିଷ ଶବ ।
ଦୁର୍ଦଶା ପଡିଛି ଏ ସାରା ସଂସାରେ
ବାଛୁନି ଧନୀ ଗରିବ,
ପ୍ରକୃତିର ଟୋପେ କ୍ଷତି ଘଟେ ନାହିଁ
ମରୁଛି ଯାହା ମାନବ ।
ପ୍ରକୃତି ଦେବତା ପ୍ରକୃତି ବିଧାତା
କ୍ଷତି ତାର ଅଭିଶାପ,
ଭୋଗୁଅଛି ଆଜି ମଣିଷ ସମାଜ
କରି କରି ଅନୁତାପ ।
ସମୟ ଆସିଛି ସାବଧାନ ହେବା
କରିବା ପ୍ରକୃତି ରକ୍ଷା,
କାଳେ ଦୟା ହେବ ଏ ଘଡି ମୁହୁର୍ତ୍ତେ
ମିଳିବ ବଞ୍ଚିବା ରାସ୍ତା ।
