ଋତୁ ନିର୍ବାଚନି
ଋତୁ ନିର୍ବାଚନି
ଋତୁ ନିର୍ବାଚନି
ଜଳୁଛି ସହର ନଗର ଅମ୍ବର ଅବନି
ନା ତାତି କୁ ଡର
ନା ଗୁଳଗୁଳି ଛାର
ସବୁ ସେହି ଗଡ଼ ଜିଣିବାର ଦୁର୍ବାର କଥନି
ସମସ୍ତେ ଜାଣନ୍ତି ଭାଷନ୍ତି କୁହନ୍ତି
ଭୋଟ ଖଣ୍ଡେ ହାତେଇବା ଚାହାନ୍ତି
ତରିବାକୁ ନିର୍ବାଚନି ବୈତରଣି
ପାଞ୍ଚବର୍ଷ ସିଂହାସନ ଆରୋହଣି
କୁମ୍ଭୀର କାନ୍ଦଣାକୁ ସଭା ସମିତିର ଖେଳ
ମିଟିଙ୍ଗ କମ୍ ଇଟିଙ୍ଗର ଲମ୍ବା ବେଳ ମେଳ
ଋତୁ ନିର୍ବାଚନି
ସବୁ ସେହି ଗଡ଼ ଜିଣିବାର ଦୁର୍ବାର କଥନି
ଅଧାରୁ ଅଧେ ମତଦାତା କହୁଛନ୍ତି
ଏଠି ନେତା ଫିତାକଟା
ଏଠି ମନ୍ତ୍ରୀ ଚିତାକଟା
ଏଠି ଡାକ୍ତର ତଣ୍ଟିକଟା
ଏଠି ଯନ୍ତ୍ରୀ ଅଣ୍ଟିକଟା
ଏଠି ଝିଅ ଚୁଟି କଟା
ଏଠି ବ୍ଲାଉଜ ପିଠିକଟା
ଏଠି ଲୁଛୁଛି ଚାରେଗା
ଏଠି ଦିଶୁଛି ବାରେଣା
ଋତୁ ନିର୍ବାଚନି
ସବୁ ସେହି ଗଡ଼ ଜିଣିବାର ଦୁର୍ବାର କଥନି
ଆହୁରି ଥୋକେ ଜନତା କହନ୍ତି
ଏଠି ପୋଲିସି ବଟିଖିଆ
ଏଠି ଚୋର ଲୁଟିଖିଆ
ଏଠି କିରାଣୀ ଟା ପେଞ୍ଚୁଆ
ଏଠି ସାହେବ ଟା ଲାଞ୍ଚୁଆ
ଏଠି ବକ୍ତାମାନେ ବାହାପିଆ
ଏଠି ଶ୍ରୋତାମାନେ ଚାହାପିଆ
ଋତୁ ନିର୍ବାଚନି
ସବୁ ସେହି ଗଡ଼ ଜଣିବାର ଦୁର୍ବାର କଥନି ।
ଖଜୁରି ଗଛର କି ଗୁଣ କହିବି
ଏଠି ପ୍ରଶାସକ ଅଳସୁଆ
ଏଠି ସଂସ୍ଥା ଦେବାଳିଆ
ଏଠି ଜନତା ତୁଣ୍ଡିଦିଆ
ଏଠି ନେତା ମୁଆଁଖିଆ
ଋତୁ ନିର୍ବାଚନି
ସବୁ ସେହି ଗଡ଼ ଜିଣିବାର ଦୁର୍ବାର କଥନି ।
ଚାରିଆଡ଼େ ପୋଷ୍ଟର ସ୍ଳୋଗାନରେ କୁହନ୍ତି
ଆମର ନେତା ତୁମର ନେତା ଜିନ୍ଦାବାଦ
ମାଟିର ପୁଅ ଦେଶର ଝିଅ ଜିନ୍ଦାବାଦ
ଭୋଟ ଦିଅ ଆମକୁ ଜିତାଅ ଜିନ୍ଦାବାଦ
ଋତୁ ନିର୍ବାଚନି
ସବୁ ସେହି ଗଡ଼ ଜିଣିବାର ଦୁର୍ବାର କଥନି ।
